ଏଣିକି ସିମ୍ ଆକ୍ଟିଭ୍ ପାଇଁ ଗଣିବାକୁ ପଡ଼ିବ ନାହିଁ ଶହ ଶହ ଟଙ୍କା!

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଟେଲିକମ୍ କଂପାନିଗୁଡ଼ିକୁ କେବଳ ଭଏସ୍ କଲ୍ ଏବଂ ମେସେଜ୍ ପାଇଁ ରିଚାର୍ଜ ପ୍ଲାନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି । ଯେଉଁଥିରେ ଇଣ୍ଟରନେଟ୍ ଡାଟା କିଣିବା ପାଇଁ କୌଣସି ବାଧ୍ୟତାମୂଳକତା ରହିବ ନାହିଁ। ଟେଲିକମ୍ ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟମ ୨୦୨୪ରେ ଟ୍ରାଇ ସୋମବାର ଏହି ପରିବର୍ତ୍ତନ କରିଛି। ଏବେ ଯେଉଁ ରିଚାର୍ଜ ପ୍ୟାକ ରହିଛି ସେଥିରେ ଫୋନ୍ କଲ, ମେସେଜ ସହିତ ଇଣ୍ଟରନେଟ୍ ପ୍ୟାକ ରହୁଛି । ତେଣୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି ।

ବିଭିନ୍ନ କାରଣରୁ ଡାଟାର ଆବଶ୍ୟକତା ନଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ବିକଳ୍ପ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୧୫୦ ନିୟୁତ ଲୋକ ହେଉଛନ୍ତି ୨ଜି ବ୍ୟବହାରକାରୀ, ଡୁଆଲ୍ ସିମ୍ ଧାରୀ, ବୟସ୍କ ବ୍ୟକ୍ତି ଏବଂ ଗାଁରେ ରହୁଥିବା ଲୋକ। ଏହି ପଦକ୍ଷେପ ଦ୍ୱାରା ଉପଭୋକ୍ତାମାନେ ଅନାବଶ୍ୟକ ଡାଟା ପାଇଁ ଦେୟ ଦେବା ପରିବର୍ତ୍ତେ କେବଳ ସେମାନଙ୍କ ଅତ୍ୟାବଶ୍ୟକ ସେବା ପାଇଁ ଦେୟ ଦେଇପାରିବେ । ଏହାବ୍ୟତୀତ ନୂଆ ନିୟମ ଅନୁଯାୟୀ ଟେଲିକମ୍ ଅପରେଟରମାନଙ୍କୁ ସ୍ୱତନ୍ତ୍ର ରିଚାର୍ଜ କୁପନର ବୈଧତା ବର୍ତ୍ତମାନର ୯୦ ଦିନରୁ ୩୫୬ ଦିନକୁ ବୃଦ୍ଧି କରିବାକୁ କୁହାଯାଇଛି।

“… ଟେଲିକମ୍ ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟମ ୨୦୨୪ରେ ଟ୍ରାଇ ଉଲ୍ଲେଖ କରିଛି ଯେ ସେବା ପ୍ରଦାନକାରୀଙ୍କୁ କେବଳ ଭଏସ୍ ଏବଂ ଏସ୍ଏମ୍ଏସ୍ ପାଇଁ ଅତି କମରେ ଗୋଟିଏ ସ୍ୱତନ୍ତ୍ର ଭାଉଚର୍ ପ୍ରଦାନ କରିବାକୁ ପଡ଼ିବ । ଯାହାର ବୈଧତା ଅବଧି ତିନିଶହ ୬୫ ଦିନରୁ ଅଧିକ ହେବ ନାହିଁ।

ଟ୍ରାଇ ଅନୁଯାୟୀ, ଟେଲିକମ୍ ଅପରେଟରଙ୍କ ତଥ୍ୟ ଦର୍ଶାଉଛି ଯେ ଭାରତରେ ୧୫୦ ନିୟୁତ ଉପଭୋକ୍ତା ଏବେ ବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି । ଯେଉଁଥିରେ ଇଣ୍ଟରନେଟ୍ ସେବା ନାହିଁ । ତେଣୁ ସେମାନେ ରିଚାର୍ଜ କଲେ ଇଣ୍ଟରନେଟ୍ ପାଇଁ ଅଯଥା ପଇସା ଗଣୁଛନ୍ତି ।

ଟ୍ରାଇ ରିଚାର୍ଜ ମୂଲ୍ୟରେ ଅଧିକ ସରଳ ହୋଇଛି । ଟେଲିକମ୍ ଅପରେଟରମାନଙ୍କୁ ଯେକୌଣସି ମୂଲ୍ୟର ରିଚାର୍ଜ ଭାଉଚର ଜାରି କରିବାକୁ ଅନୁମତି ଦେଇଛି ଏବଂ ସର୍ବନିମ୍ନ ରିଚାର୍ଜ ବିକଳ୍ପ ୧୦ ଟଙ୍କା ରଖିଛି । ପୂର୍ବରୁ ରିଚାର୍ଜ ପାଇଁ ସର୍ବନିମ୍ନ ଭାଉଚର ୧୦ ଟଙ୍କା ଥିଲା । ଯାହାକୁ ରିଚାର୍ଜ କଲେ ସିମ୍ ଆକ୍ଟିଭ ହେବା ସହିତ ଟକ୍ ଟାଇମ୍ ମିଳୁଥିଲା ।

Leave a Reply

Your email address will not be published. Required fields are marked *