ଏହି ମ୍ୟାଚ ଖେଳିବାରୁ ବଞ୍ଚିତ ହେଲେ ଆରସିବି ବୋଲର ୟଶ ଦୟାଲ
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ୟଶ ଦୟାଲଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଏହି ଆରସିବି ବାମହାତୀ ବୋଲରଙ୍କୁ ଏବେ ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନ ( ୟୁପିସିଏ) ଚଳିତ ବର୍ଷର ୟୁପି ଟି୨୦ ଲିଗରୁ ନିଷିଦ୍ଧ କରିଛି।
ଜୟପୁରର ସାଙ୍ଗାନେର ଥାନାରେ ୟଶ ଦୟାଲଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏକ ମାମଲା ରୁଜୁ ହେବା ପରେ ୟୁପିସିଏ ଏହି କଠୋର ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଗାଜିଆବାଦରେ ଜଣେ ମହିଳା ତାଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଯୌନ ଶୋଷଣ ଅଭିଯୋଗରେ ଏଫଆଇଆର ଦାଖଲ କରିଥିଲେ। ଏହି ଅଭିଯୋଗ ଜୁନ୍ ୨୧ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲରେ ଦାଖଲ ହୋଇଥିଲା, ଯାହା ପରେ ଔପଚାରିକ ଏଫଆଇଆରରେ ପରିଣତ ହୋଇଥିଲା।
ୟଶ ଦୟାଲଙ୍କୁ ଗୋରଖପୁର ଲାୟନ୍ସ ଦଳ ୭ ଲକ୍ଷ ଟଙ୍କାରେ କିଣିଥିଲା, କିନ୍ତୁ ଏହି ଅଭିଯୋଗ ଯୋଗୁଁ ସେ ୟୁପି ଟି୨୦ ୨୦୨୫ରେ ଖେଳିପାରିବେ ନାହିଁ। ଆଲ୍ଲାହାବାଦ ହାଇକୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ହେଁ, ରାଜସ୍ଥାନ ହାଇକୋର୍ଟ ଜୁଲାଇରେ ଦାଖଲ ହୋଇଥିବା ଅନ୍ୟ ଏକ ଏଫଆଇଆର ଉପରେ ଗିରଫଦାରୀ ରୋକିବାକୁ ଅସ୍ୱୀକାର କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ରେ ହେବ।
ୟଶ ଦୟାଲ ଶେଷ ଥର ପାଇଁ ମେ ୨୦୨୫ରେ ଆରସିବି ପାଇଁ ଆଇପିଏଲ ଟ୍ରଫି ଜିତିବା ସମୟରେ ଖେଳିଥିଲେ। ଏହାପରେ ସେ କ୍ରିକେଟରୁ ଦୂରେଇ ରହିଛନ୍ତି।
