ଏଣିକି ମହିଳା ବି କରିବେ ନାଇଟ୍ ସିଫ୍ଟ, ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
ମହିଳା କର୍ମଚାରୀମାନେ ଯେଉଁ ସଂସ୍ଥାରେ କାମ କରିବେ, ସେଠାରେ ଅତିକମରେ ୩ ଜଣ ମହିଳା କର୍ମଚାରୀ ଏକତ୍ର କାର୍ଯ୍ୟ କରିବେ। ଏହାସହ କାର୍ଯ୍ୟସ୍ଥଳୀରେ ଜଣେ ମହିଳା ନିଯୁକ୍ତି କର୍ତ୍ତା ଉପସ୍ଥିତ ରହିବେ। ମହିଳାଙ୍କ ସ୍ବାବଲମ୍ବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ ପରିବର୍ତ୍ତନ କରାଯାଇଛି।

ଘରୋଇ ସଂସ୍ଥାରେ ରାତିରେ ମହିଳାଙ୍କ କାର୍ଯ୍ୟ ଉପରେ ଥିବା ସରକାରୀ ନିଷେଧାଦେଶକୁ କୋହଳ କରାଯାଇଛି। ରାଜ୍ୟ ସରକାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେଉଥିବା ଧାରା-୨୩କୁ ପ୍ରତ୍ୟାହାର କରିଛନ୍ତି, ଯାହାଦ୍ୱାରା ମହିଳାଙ୍କ ପାଇଁ ରାତିରେ କାମ କରିବାର ସୁଯୋଗ ସୃଷ୍ଟି ହେବ। ତେବେ, ନାବାଳିକାମାନଙ୍କୁ ଏହି ଅନୁମତି ମିଳିବ ନାହିଁ।

ଇଜ୍ ଅଫ୍ ଡୁଇଂ ବିଜନେସକୁ ଆଧାର କରି ସେମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାତିରେ ମହିଳା କର୍ମଚାରୀଙ୍କୁ ତାଙ୍କ ଘରୁ ଆଣିବା କିମ୍ବା ଛାଡ଼ିବା ପାଇଁ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର ହେବ । ନଚେତ୍ କାର୍ଯ୍ୟକ୍ଷେତ୍ର ନିକଟରେ ତାଙ୍କ ପାଇଁ ରହିବାର ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବା ଆବଶ୍ୟକ। ରାତିରେ ଯେଉଁ ଗାଡ଼ି ମହିଳା କର୍ମଚାରୀଙ୍କୁ ନେବା ଆଣିବା କରିବ ସମ୍ପୃକ୍ତ ଗାଡ଼ି ଡ୍ରାଇଭରଙ୍କର ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିବ ପୋଲିସ୍ ।

ଘରୋଇ ପ୍ରତିଷ୍ଠାନରେ ଶୌଚାଳୟ, ପାନୀୟ ଜଳ, ଯଥେଷ୍ଟ ପରିମାଣର ଆଲୋକର ସୁବିଧା ଏବଂ ସମ୍ପୂର୍ଣ୍ଣ ପରିସରରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ।ଏହାସହିତ ସେମାନଙ୍କ ପାଇଁ ସମର୍ପିତ ଟେଲିଫୋନ୍ ନମ୍ବର ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ ନମ୍ବର-୧୮୧ ଏବଂ ଶ୍ରମ ବିଭାଗର ହେଲ୍ପ ଲାଇନ ନମ୍ବର-୧୮୦୦୩୪୫୬୭୦୩ ଭଲ ଭାବେ ପ୍ରଦର୍ଶିତ ହେବା ସହିତ ମହିଳା କର୍ମଚାରୀଙ୍କୁ ନେବା ଆଣିବା ଗାଡ଼ିରେ ମଧ୍ୟ ଲଗାଯିବା ଦରକାର।

Leave a Reply

Your email address will not be published. Required fields are marked *