କ’ଣ AI’ ଲୋକଙ୍କ ଚାକିରି ଛଡ଼ାଇ ନେବ? କଣ କହିଲେ ମୋଦୀ?

AI ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମ୍ମିଳନୀରେ ଏଆଇର ବିକାଶ, ଏହାର ନିୟନ୍ତ୍ରଣ, ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଏଆଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାକୁ କିଛି ପ୍ରଶ୍ନ ଆସିଥିଲା । କଣ ଏଆଇ ଆଗାମୀ ଦିନରେ ଲୋକଙ୍କ ଚାକିରି ଛଡାଇନେବ? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତୁ ଜାଣିବା । AI ଚାକିରି ହଟାଇବ ନାହିଁ ବରଂ କାମ କରିବାର ଶୈଳୀ ବଦଳାଇବ। ସେ କହିଥିଲେ, “ଇତିହାସ ସାକ୍ଷୀ ଯେ ପ୍ରଯୁକ୍ତିବିଦ୍ୟାର ଆଗମନ ସହିତ କାମ ଶେଷ ହୁଏ ନାହିଁ, ବରଂ ଏହାର ରୂପ ପରିବର୍ତ୍ତନ ହୁଏ। ଏହା ନୂତନ ପ୍ରକାରର ଚାକିରି ସୃଷ୍ଟି କରେ।” ଏହି ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ସେ ଦକ୍ଷତା ଏବଂ ପୁନଃ ଦକ୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ।
AI ର ପ୍ରଭାବ ଏବଂ ବିଶ୍ୱବ୍ୟାପୀ ସହଯୋଗର ଆବଶ୍ୟକତା
AIର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ସୁଦୂର ପ୍ରସାରୀ ପ୍ରଭାବ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “AI ପୂର୍ବରୁ ଆମର ରାଜନୀତି, ଅର୍ଥନୀତି, ସୁରକ୍ଷା ଏବଂ ସମାଜକୁ ପୁନଃଆକୃତି ଦେଉଛି। ଏହା 21 ଶତାବ୍ଦୀରେ ମାନବତାର ଭବିଷ୍ୟତ ଲେଖୁଛି।” ସେ AIର ଦ୍ରୁତ ପ୍ରଗତି ଏବଂ ଏହାର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ବିଶ୍ୱବ୍ୟାପୀ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “ଏଆଇ ସୀମା ବାହାରେ ଏକ ପ୍ରଯୁକ୍ତିବିଦ୍ୟା, ତେଣୁ ଏଥିପାଇଁ ଏକ ବିଶ୍ୱସ୍ତରୀୟ ସାମୂହିକ ପ୍ରୟାସ ଆବଶ୍ୟକ। ଆମକୁ ଏପରି ନୀତି ଏବଂ ମାନଦଣ୍ଡ ସୃଷ୍ଟି କରିବାକୁ ପଡିବ ଯାହା ଆମର ସମାନ ମୂଲ୍ୟବୋଧକୁ ବଜାୟ ରଖିବ, ବିପଦ ହ୍ରାସ କରିବ ଏବଂ ବିଶ୍ୱାସ ସୃଷ୍ଟି କରିବ।”
AIର ସକାରାତ୍ମକ ପ୍ରଭାବ: ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷିରେ ଉନ୍ନତି
AIର ସକାରାତ୍ମକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “AI ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି ସମେତ ଅନେକ କ୍ଷେତ୍ରରେ ବିପ୍ଳବ ଆଣିପାରେ। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିପାରିବ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (SDGs) ହାସଲ କରିବାର ଗତିକୁ ତ୍ୱରାନ୍ୱିତ କରିପାରିବ।” ସେ ପରାମର୍ଶ ଦେଇଥିଲେ ଯେ AIକୁ ଲୋକ-କୈନ୍ଦ୍ରିକ ଏବଂ ଅଧିକ ସ୍ୱଚ୍ଛ ଏବଂ ବିଶ୍ୱସନୀୟ କରାଯିବା ଉଚିତ।