ଯୌତୁକ ନିଶାରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ଗର୍ଭନଷ୍ଟ ଓ ନିର୍ଯାତନା କରୁଥିଲେ ସ୍ୱାମୀ
ଲକ୍ଷ୍ନୌ: ଯୌତୁକ ଲୋଭରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହର ମାତ୍ର ୧୫ ଦିନ ମଧ୍ୟରେ ସ୍ୱାମୀ ଅନୁରାଗ ସିଂହ ତାଙ୍କ ସ୍ତ୍ରୀ ମଧୁ ସିଂହଙ୍କ ଉପରେ ଯୌତୁକ ପାଇଁ ଚାପ ପକାଇଥିଲେ। ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟରତ ଅନୁରାଗଙ୍କର ଏଭଳି ଆଚରଣ ସମାଜରେ ଆଲୋଚନାର ବିଷୟ ହୋଇଛି।
ଅଭିଯୋଗ ଅନୁଯାୟୀ, ଯୌତୁକ ନ ମିଳିବାରୁ ଅନୁରାଗ ମଧୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ତାଙ୍କର ଗର୍ଭନଷ୍ଟ କରିଥିଲେ। ଅଗଷ୍ଟ ୪ ତାରିଖରେ ମଧୁଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଅନୁରାଗ ଏହାକୁ ଆତ୍ମହତ୍ୟା ବୋଲି ଦାବି କରୁଥିବା ବେଳେ, ମଧୁଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଅନୁରାଗଙ୍କୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ୨୫ରେ ମଧୁ ଏକ ମାଟ୍ରିମୋନିଆଲ ସାଇଟ୍ ମାଧ୍ୟମରେ ଅନୁରାଗଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଅନୁରାଗ ୧୫ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ, କିନ୍ତୁ ଆର୍ଥିକ ସମସ୍ୟା ହେତୁ ମଧୁଙ୍କ ପରିବାର ୫ ଲକ୍ଷ ଟଙ୍କା ଦେଇଥିଲେ। ତଥାପି, ଅନୁରାଗ ଅଧିକ ଟଙ୍କା ପାଇଁ ମଧୁଙ୍କୁ ନିର୍ଯାତନା ଦେଇଥିଲେ। ଏପରିକି ଛୋଟ ଛୋଟ କାରଣ ପାଇଁ ମଧୁଙ୍କୁ ମାରପିଟ କରୁଥିଲେ। ମଧୁ ଏହି ନିର୍ଯାତନା ସହି ନ ପାରି ବାପ ଘରକୁ ଫେରିଥିଲେ, କିନ୍ତୁ ପରିବାର ତାଙ୍କୁ ପୁଣି ଶାଶୁଘରକୁ ପଠାଇଥିଲେ।
ମଧୁଙ୍କ ବଡ଼ ଭଉଣୀ ପ୍ରିୟା କହିଛନ୍ତି, “ଅନୁରାଗର ଆଚରଣ ହିଂସାତ୍ମକ ଥିଲା। ସେ ମଧୁଙ୍କୁ ମଦ ପିଇବାକୁ ବାଧ୍ୟ କରୁଥିଲେ ଓ ତାଙ୍କୁ ପରିବାର ଓ ବନ୍ଧୁଙ୍କଠାରୁ ଅଲଗା ରଖୁଥିଲେ। ଅନୁରାଗ ଘରେ ଥିବାବେଳେ ମଧୁଙ୍କୁ ଫୋନରେ କଥା ହେବାକୁ ବାରଣ କରୁଥିଲେ। ଅଗଷ୍ଟ ୪ ରାତି ୧୨ଟାରେ ଅନୁରାଗ ପୁଲିସକୁ ମଧୁଙ୍କ ଆତ୍ମହତ୍ୟା ଖବର ଦେଇଥିଲେ, କିନ୍ତୁ ଆମେ ଏହାକୁ ହତ୍ୟା ବୋଲି ବିଶ୍ୱାସ କରୁଛୁ।”
ତେବେ ମଧୁଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଏବେ ଅନୁରାଗକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ପୁଲିସ।
