ପ୍ରେମ ପାଇଁ ଅନ୍ଧ :ଶେଷରେ ସ୍ୱାମୀକୁ ମାରିବାକୁ ପଛାଇଲାନି ସ୍ତ୍ରୀ

ସୁନ୍ଦରଗଡ଼: ପରକୀୟା ପ୍ରୀତିରେ ଅନ୍ଧ ହୋଇ ଜଣେ ସ୍ତ୍ରୀ ନିଜ ହାତରେ ସିନ୍ଦୂର ପୋଛି ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମିସନ୍‌ରୋଡ୍‌ ନିକଟସ୍ଥ ହରିଓଁ କଲୋନିରେ ଘଟିଛି। ମୃତ ସ୍ବାମୀଙ୍କ ନାମ ଧ୍ରୁବ କେର୍କେଟା, ଯିଏ ସବଡ଼େଗା ବ୍ଲକ୍‌ରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।ଅଭିଯୁକ୍ତ ପତ୍ନୀ ଉର୍ମିଳା-ନିଜ ପ୍ରେମିକ ସୁବ୍ରତ ମାଝୀ ଓ ତାଙ୍କ ସହଯୋଗୀ ବିମଳ ଦଣ୍ଡସେନାଙ୍କ ସହ ମିଶି ଏହି ହତ୍ୟାକାଣ୍ଡକୁ ସଂଘଟିତ କରିଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧ୍ରୁବ କେର୍କେଟା ତଳସରା ଥାନା ଅନ୍ତର୍ଗତ ଜାଇସର କାଳିଆପଡ଼ାରେ ରହୁଥିବା ବେଳେ ଅବସର ପରେ ସ୍ତ୍ରୀ ଉର୍ମିଳା ଓ ୧୨ ବର୍ଷର ପୁଅଙ୍କ ସହ ସୁନ୍ଦରଗଡ଼ର ହରିଓଁ କଲୋନିରେ ଭଡ଼ା ଘରେ ରହୁଥିଲେ। ଏହି ସମୟରେ ଉର୍ମିଳାଙ୍କର ସୁବ୍ରତ ମାଝୀଙ୍କ ସହ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ସୁବ୍ରତ ବାରମ୍ବାର ଧ୍ରୁବଙ୍କ ଘରକୁ ଆସୁଥିବା ଏବଂ ଉର୍ମିଳାଙ୍କ ଆଚରଣରୁ ଧ୍ରୁବଙ୍କ ମନରେ ସନ୍ଦେହ ଜନ୍ମିଥିଲା। ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ସୁବ୍ରତ ମଧ୍ୟ ଧ୍ରୁବଙ୍କୁ ଫୋନ ମାଧ୍ୟମରେ ଧମକ ଦେଉଥିବା ଅଭିଯୋଗ ରହିଛି।

ଧ୍ରୁବଙ୍କୁ ନିଜ ପ୍ରେମର ପଥରୁ ହଟାଇବା ପାଇଁ ଉର୍ମିଳା ଓ ସୁବ୍ରତ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ମଙ୍ଗଳବାର ରାତିରେ ଉର୍ମିଳା ରାତ୍ରିଭୋଜନରେ ୬ଟି ନିଦ ବଟିକା ମିଶାଇ ଧ୍ରୁବଙ୍କୁ ଖାଇବାକୁ ଦେଇଥିଲେ। ଫଳରେ ଧ୍ରୁବ ଗଭୀର ନିଦରେ ଶୋଇ ପଡ଼ିବା ପରେ ବିଳମ୍ବିତ ରାତିରେ ସୁବ୍ରତ ଓ ତାଙ୍କ ସହଯୋଗୀ ବିମଳ ଦଣ୍ଡସେନା ଘରେ ପହଞ୍ଚି ହତ୍ୟାକାଣ୍ଡକୁ ସଂଘଟିତ କରିଥିଲେ। ସୁବ୍ରତ ଓ ବିମଳ ଧ୍ରୁବଙ୍କ ହାତଗୋଡ଼ ଧରିଥିବା ବେଳେ ଉର୍ମିଳା ନିଜେ ସ୍ବାମୀଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସଫଳ ନ ହେବାରୁ ଗାମୁଛାରେ ତଣ୍ଟି ଭିଡ଼ି ତାଙ୍କୁ ହତ୍ୟା କରାଯାଇଥିଲା।

ହତ୍ୟା ପରେ ସୁବ୍ରତ ଓ ବିମଳ ଘଟଣାସ୍ଥଳରୁ ପଳାଇଥିବା ବେଳେ ଉର୍ମିଳା ସକାଳେ ନିଜ ଭାଇକୁ ଖବର ଦେଇ ସ୍ବାମୀ ବିଷ ପିଇ ଆତ୍ମହତ୍ୟା କରିଥିବା କହି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତରଖାନା କର୍ମଚାରୀଙ୍କ ସନ୍ଦେହ ହେବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉର୍ମିଳାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ବାରମ୍ବାର କଥା ବଦଳାଉଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଶେଷରେ ଉର୍ମିଳା ନିଜର ଅପରାଧ ସ୍ବୀକାର କରିଥିଲେ ଏବଂ ପ୍ରେମିକ ସୁବ୍ରତ ଓ ତାଙ୍କ ସହଯୋଗୀ ବିମଳଙ୍କ ସମ୍ପୃକ୍ତି ବିଷୟରେ ଜଣାଇଥିଲେ।

Leave a Reply

Your email address will not be published. Required fields are marked *