କାହିଁକି ବିହାରରେ ନୀତୀଶଙ୍କ ସ୍ଥିତି ଟଳମଳ ବୋଲି ଚର୍ଚ୍ଚା ହେଉଛି? ପଢ଼ନ୍ତୁ ସନ୍ଦେହ ଦୂର କରନ୍ତୁ
ପାଟଣା: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମହାମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ରାଜନୀତିରେ କିଛି ବି ସମ୍ଭବ ବୋଲି ସେ କହିଛନ୍ତି। ରାଜନୀତିରେ ମଣିଷ ସବୁଦିନ ପାଇଁ ବନ୍ଧୁ କିମ୍ବା ଶତ୍ରୁ ନୁହେଁ। ରାଜନୀତି ହେଉଛି ପରିସ୍ଥିତିର ଖେଳ। ନୀତୀଶ କୁମାର ଏକାଠି ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। ଆରଜେଡି ବିଧାୟକଙ୍କ ଏହି ବୟାନ ପରେ ଏବେ ରାଜନୀତି ସରଗରମ ହୋଇଛି ।
ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା କହିଥିଲେ ଯେ ଅଟଳଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତେବେଳେ ହିଁ ହେବ ଯେତେବେଳେ ବିହାରରେ ବିଜେପିର ନିଜସ୍ୱ ମୁଖ୍ୟମନ୍ତ୍ରୀ ରହିବ। ତେବେ ପରେ ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କ ବୟାନକୁ ପ୍ରତ୍ୟାହାର କରିଥିଲେ। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଏନଡିଏ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ଏବଂ ଜିତିବ ।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ବିହାରରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ କାହା ନେତୃତ୍ୱରେ ଲଢ଼ିବ ତାହା ବିଜେପି ଓ ଜେଡିୟୁ ସ୍ଥିର କରିବେ। ଜେଡିୟୁ ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲା କାରଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଆଗାମୀ ବିଧାନସଭା ନିର୍ବାଚନ ନୀତୀଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବିହାର କାର୍ଯ୍ୟକ୍ରମରେ ନୀତୀଶ କୁମାରଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଅମିତ ଶାହାଙ୍କ ବୟାନ ପରେ ଏନଡିଏରେ ଆରମ୍ଭ ହୋଇଥିଲା ଅନେକ ପ୍ରକାର ଆଲୋଚନା ।
ପାଟନାରେ ଆୟୋଜିତ ବିଜନେସ କନେକ୍ଟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିଲେ। ସେ ଅସୁସ୍ଥ ଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ବିଜେପି ନେତା । କିନ୍ତୁ ଏହି କାର୍ଯ୍ୟକ୍ରମର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପ୍ରଗତି ଯାତ୍ରା ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ଏନଡିଏରେ ସବୁକିଛି ଠିକ୍ ନଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବିଜେପି ତୁରନ୍ତ ପରିସ୍ଥିତିର ଦାୟିତ୍ୱ ନେଇଥିଲା ଏବଂ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନୀତୀଶ କୁମାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କୁ ‘ଭାରତ ରତ୍ନ’ ଦିଆଯାଉ ବୋଲି କହିଥିଲେ। ଏହାର ପରଦିନ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଗତି ଯାତ୍ରାରେ ଯୋଗ ଦେଇଥିଲେ।
