ଜହ୍ନକୁ କାହିଁକି ଡାକନ୍ତି ମାମୁଁ? ଏହା ପଛରେ ଥିବା କାରଣ ଜାଣନ୍ତି କି?
ନୂଆଦିଲ୍ଲୀ: କେବେ ଆପଣ ଶୁଣିଥିବେ ଆଈ ବା ଜେଜେ ମା କୌଣସି କାହାଣୀ କହିବାବେଳେ ଜହ୍ନକୁ ମାମୁଁ ବୋଲି କହିଥାନ୍ତି | ଜହ୍ନମାମୁଁ ବୋଲି ଏକ କାଳ୍ପନିକ ଚରିତ୍ର ଆମ ମନରେ ପିଲାଟିଦିନରୁ ରହିଆସିଛି | ଜହ୍ନରେ ଠେକୁଆଟିଏ ଅଛି ହେଉ ବା ତୋଫା ଗୋରାର ପ୍ରତୀକ ଭାବେ ଜହ୍ନକୁ ବର୍ଣ୍ଣନା କରାଯାଏ | ତେବେ ଅନେକ କାହାଣୀ ହେଉ କି କବିତା ଜହ୍ନକୁ ମାମୁଁ ଭାବେ କାହିଁକି କୁହାଯାଏ? କାହିଁକି ଜହ୍ନ ସହ ଜେଜେ ,ଭାଇ କିମ୍ବା ଅନ୍ୟ କୌଣସି ସମ୍ପର୍କରେ ସମ୍ବୋଧନ କରାଯାଏ ନାହିଁ? ଆପଣ କେବେ ଏହି କଥା ଭାବିଛନ୍ତି କି? ଏହା ପଛରେ ରହିଛି ଧାର୍ମିକ, ପୌରାଣିକ ଏବଂ ଭୌଗୋଳିକ କାରଣ।
ହିନ୍ଦୁ ପୁରାଣ ଅନୁସାରେ, ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପତ୍ତି ହୋଇଥିଲେ। ଯେତେବେଳେ ଦେବତା ଏବଂ ରାକ୍ଷସମାନେ ସମୁଦ୍ର ମନ୍ଥନ ଆରମ୍ଭ କଲେ, ସେତେବେଳେ ଗୋଟିଏ ପରେ ଗୋଟିଏ ୧୪ଟି ରତ୍ନ ବାହାରି ଆସିଲା, ଯେଉଁଥିରେ ଚନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ଥିଲା ଏବଂ ଏହି ସମସ୍ତ ରତ୍ନକୁ ମା ଲକ୍ଷ୍ମୀଙ୍କ ଭାଇଭଉଣୀ ଭାବରେ ଦେଖାଯାଏ। ଯେହେତୁ ମା ଲକ୍ଷ୍ମୀଙ୍କୁ ମାତା ଭାବରେ ପୂଜା କରାଯାଏ, ସେଥିପାଇଁ ମା ଲକ୍ଷ୍ମୀଙ୍କ ଭାଇ ଚନ୍ଦ୍ରମାକୁ ମାମୁଁ ବୋଲି ବିବେଚନା କରାଯାଏ।
ଏହା ବ୍ୟତୀତ, ଭାରତୀୟ ସଂସ୍କୃତିରେ ଜହ୍ନକୁ ସୌନ୍ଦର୍ଯ୍ୟ, ଶାନ୍ତି ଓ ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଏ। ଶିଶୁମାନଙ୍କ ପାଇଁ ଜହ୍ନ ଏକ ଆକର୍ଷଣୀୟ ଓ ପ୍ରିୟ ବସ୍ତୁ, ଯାହାକୁ ସେମାନେ ‘ମାମୁଁ’ ଭାବେ ସମ୍ବୋଧନ କରି ନିଜର ସ୍ନେହ ପ୍ରକାଶ କରନ୍ତି।
