କିଏ ଓ କାହିଁକି ଅଭିନେତା ସୈଫ୍ ଅଲ୍ଲି ଖାନଙ୍କୁ ଆକ୍ରମଣ କଲା?

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି । ସୈଫ ବାନ୍ଦ୍ରାର ସତ୍ଗୁରୁ ଶରଣରେ ରୁହନ୍ତି। ଭୋର ପ୍ରାୟ ୩ଟା ବେଳେ ଚୋର ତାଙ୍କ ଘରେ ପଶିଥିଲା। ପରେ ଛୁରୀ ମାଡ଼ କରିଥିଲେ। ସୈଫ୍ ଅଲ୍ଲୀ ଖାନଙ୍କୁ ୬ ଥର ଛୁରିମାଡ଼ ହୋଇଥିବା ବେଳେ ସେଥିରୁ ୨ଟି ଗଭୀର ଥିଲା। ଆକ୍ରମଣ ପରେ ସୈଫଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଲୀଲାବତୀ ହସ୍ପିଟାଲର ସିଇଓ ନୀରଜ ଉତ୍ତମାନୀ କହିଛନ୍ତି, ସୈଫଙ୍କ ଶରୀରରେ ସମୁଦାୟ ୬ଟି କ୍ଷତ ରହିଛି । ସେଥିମଧ୍ୟରୁ ଦୁଇଟି ଗଭୀର ରହିଛି। ତାଙ୍କ ମେରୁଦଣ୍ଡ ନିକଟରେ ଏକ କ୍ଷତ ରହିଛି। ଆମେ ତାଙ୍କର ଚିକିତ୍ସା କରୁଛୁ। ନ୍ୟୁରୋସର୍ଜନ ନିତିନ ଡାଙ୍ଗେ, କସମେଟିକ୍ ସର୍ଜନ ଲିନା ଜୈନ ଓ ଆନେସ୍ଥେସିଷ୍ଟ ନିଶା ଗାନ୍ଧି ତାଙ୍କର ଚିକିତ୍ସା କରୁଛନ୍ତି।

ଏହି ଘଟଣା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ୩ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। କ୍ରାଇମବ୍ରାଞ୍ଚ ଟିମ୍ ତିନି ଜଣ କର୍ମଚାରୀଙ୍କୁ ପଚରାଉଚରା ପାଇଁ ନେଇଛି। ଏହି ତିନି ଜଣ ସୈଫଙ୍କ କୋଠାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ। ସୈଫ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ଏବଂ ସୁରକ୍ଷା ଦାୟିତ୍ୱରେ କାମ କରୁଥିବା ଲୋକଙ୍କ ମୋବାଇଲ୍ ଫୋନକୁ ମଧ୍ୟ ପୁଲିସ ଜବତ କରିଛି।

ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଟିମ୍ ଏହି ଘଟଣାକୁ ନେଇ ଏକ ଆନୁଷ୍ଠାନିକ ବିବୃତି ଜାରି କରିଛନ୍ତି। ସୈଫଙ୍କ ବାସଭବନରେ ଚୋରି ଉଦ୍ୟମ ହୋଇଥିବା ସେ ସୁନିଶ୍ଚିତ କରିଛନ୍ତି। ଏବେ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ସେ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି।

ସୈଫ୍ ଅଲ୍ଲୀ ଖାନଙ୍କ କୋଠା ଓ ଆଖପାଖ କୋଠାର ସିସିଟିଭି ଫୁଟେଜ୍ ପୁଲିସ ଯାଞ୍ଚ କରୁଛି। ଆକ୍ରମଣକାରୀ କିଏ, କେଉଁଠୁ ଆସିଥିଲା ଏବଂ ଆକ୍ରମଣର ଉଦ୍ଦେଶ୍ୟ କ’ଣ ଥିଲା, ପୁଲିସ ଏପର୍ଯ୍ୟନ୍ତ ସୂଚନା ହାସଲ କରିପାରିନାହିଁ। ରାତିରେ ସୈଫଙ୍କ ଘରେ ମୋଟ୍ ୭ ଜଣ ସୁରକ୍ଷା କର୍ମୀ ମୁତୟନ ଥିଲେ। ଘର ଭିତରକୁ ଯିବା ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ୍ ରହିଛି।

Leave a Reply

Your email address will not be published. Required fields are marked *