ଶସ୍ତା ହେବ ବିଦେଶୀ ହ୍ୱିସ୍କି | ଆଉ କଣ କଣ ହୋଇ ପରେ ଶସ୍ତା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ବ୍ରିଟେନ୍‌ ସହିତ ଏକ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ୱାକ୍ଷର କରିଛି । ଏହାସହିତ ଦୁଇ ଦେଶ ଏକ ଦୃଢ଼ ଆର୍ଥିକ ଭାଗିଦାରୀ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ଜୋନାଥନ ରେନାଲ୍ଡସ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ସିଇଟିଏ ଦ୍ୱାରା ଭାରତର ୯୯% ରପ୍ତାନି ପାଇଁ ବ୍ରିଟେନ ବଜାରରେ ବ୍ୟାପକ ଶୁଳ୍କ ଛାଡ଼ ସୁବିଧା ମିଳିବ । ଏହା ପ୍ରାୟ ସମଗ୍ର ବାଣିଜ୍ୟ କ୍ଷେତ୍ରକୁ ସାମିଲ କରିବ। ଏହା ଶ୍ରମ-କେନ୍ଦ୍ରିକ ଶିଳ୍ପ ଯେପରିକି ବୟନଶିଳ୍ପ, ସାମୁଦ୍ରିକ ଉତ୍ପାଦ, ଚମଡା, ଜୋତା, କ୍ରୀଡା ସାମଗ୍ରୀ, ଖେଳଣା ଏବଂ ରତ୍ନ ଓ ଗହଣା ସହିତ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ଯଥା- ଇଞ୍ଜିନିୟରିଂ ସାମଗ୍ରୀ, ଅଟୋ ଉପକରଣ ଏବଂ ଜୈବ ରାସାୟନିକ ପଦାର୍ଥ ପାଇଁ ନୂତନ ସୁଯୋଗ ଖୋଲିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମା ଅନୁଯାୟୀ, ଦେଶର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ, କାରଣ ଏହା ଅନୁଯାୟୀ, ଔଷଧ, ପୋଷାକ, ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ଫ୍ୟାଶନ ସାମଗ୍ରୀ ଶସ୍ତା ହୋଇଯିବ। ଆଉ କେତେକ ସାମଗ୍ରୀ ମହଙ୍ଗା ହେବ ।

ତେବେ ଆଉ ଏକ ସାମଗ୍ରୀ ଶସ୍ତା ହେବାର ସମ୍ଭାବନା ରହିଛି- ତାହା ହେଉଛି ବ୍ରିଟେନରୁ ଆମଦାନୀ ହେଉଥିବା ମଦ । ପୂର୍ବରୁ ଏସବୁ ପ୍ରିମିୟମ ମଦ (ସ୍କଚ ହ୍ବିସ୍କି) ଉପରେ ଭାରତ ସରକାର ୧୫୦ ପ୍ରତିଶତ ଟିକସ ଆଦାୟ କରୁଥିଲେ, ଏହି ଚୁକ୍ତି ପରେ ଏବେ ସରକାର ୭୫ ପ୍ରତିଶତ ଟିକସ ଆଦାୟ କରିବେ । ଏହା ଦ୍ବାରା ଭାରତରେ ପ୍ରିମିୟମ ସ୍କଟ ହ୍ବିସ୍କି ଆପେକ୍ଷାକୃତ ଶସ୍ତାରେ ମିଳିବ ।

Leave a Reply

Your email address will not be published. Required fields are marked *