ରାଜ୍ୟପାଳ ପଦରୁ ଇସ୍ତଫା, ଏବେ ରଘୁବର ଦାସ କରିବେ କ’ଣ, ମିଳିଲା ବଡ଼ ଆଭାସ!

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ରଘୁବର ଦାସଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ମିଜୋରାମର ବର୍ତ୍ତମାନର ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କୁ ଓଡ଼ିଶାରେ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ପଦରେ ରଘୁବର ଦାସ ରହିବା ପରେ ତାଙ୍କ ରାଜନୈତିକ କ୍ୟାରିୟର ସହ ମେଳ ଖାଉନଥିଲା । ସେ ରାଜଭବନ ଛାଡ଼ି ସକ୍ରିୟ ରାଜନୀତିକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ତାଙ୍କର ଜଣେ ସହଯୋଗୀ କହିଛନ୍ତି।

ତେବେ ବିଜେପି ନେତୃତ୍ୱ ତାଙ୍କ ପାଇଁ କ’ଣ ଭୂମିକା ଗ୍ରହଣ କରିବାକୁ ଯୋଜନା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଝାଡ଼ଖଣ୍ଡ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରଘୁବର ଦାସଙ୍କୁ ରାଜ୍ୟ ବିଜେପିର ବଡ଼ ଦାୟିତ୍ୱ ଦିଆଯାଇପାରେ। ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରଠାରୁ ସଂଘର୍ଷ କରୁଥିବା ରାଜ୍ୟ ଶାଖାକୁ ପୁନରୁଦ୍ଧାର କରିବା ପାଇଁ ସେ ଝାଡ଼ଖଣ୍ଡ ବିଜେପିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୯ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ରଘୁବର ଦାସଙ୍କୁ ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଏହି ପରାଜୟର ମୁଖ୍ୟ କାରଣ ହେଉଛି ସିଏନଟି/ଏସପିଟି ଆଇନରେ ସଂଶୋଧନ ପାଇଁ ରଘୁବର ଦାସଙ୍କ ନେତୃତ୍ୱାଧୀନ ସରକାର ନେଇଥିବା ପଦକ୍ଷେପ । କାରଣ ଏହି ପଦକ୍ଷେପ ଯୋଗୁଁ ଆଦିବାସୀ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

୨୦୨୦ରେ ବାବୁଲାଲ ମାରାଣ୍ଡି ତାଙ୍କ ଦଳ ଜେଭିଏମ୍ କୁ ବିଜେପିରେ ମିଶ୍ରଣ କରିଥିଲେ । ଏହାପରେ ଝାଡ଼ଖଣ୍ଡରେ ବାବୁଲାଲ ମାରାଣ୍ଡିଙ୍କ କ୍ଷମତା ବଢିଥିଲା । ଆଉ ତାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେବାକୁ ଯାଇ ରଘୁବର ଦାସଙ୍କୁ କୁଆଡେ ରାଜ୍ୟପାଳ କରାଯାଇଥିଲା ବୋଲି କୁହାଯାଇଛି । ତେବେ ଯାହା ହେଉ ବିଜେପି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଅନେକ ପ୍ରୟାସ କରିବା ସତ୍ତ୍ୱେ ଝାଡଖଣ୍ଡରେ ପରାଜିତ ହୋଇଛି ।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ଝାଡ଼ଖଣ୍ଡର ୭୪ ପ୍ରତିଶତ ଅଣ ଆଦିବାସୀ ଭୋଟରଙ୍କ ମଧ୍ୟରେ ସମର୍ଥନ ସୁଦୃଢ଼ କରିବାକୁ ଦଳ ଭିତରେ ଦାବି ଜୋର ଧରିଛି। ରାଜ୍ୟର ମୋଟ ଜନସଂଖ୍ୟାର ୨୬ ପ୍ରତିଶତ ଆଦିବାସୀ ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ମୁଖ୍ୟତଃ ସମର୍ଥନ କରିଥିଲେ। ବିଜେପିର ଓବିସି ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନେତୃତ୍ୱ ପରିବର୍ତ୍ତନ କରାଯାଇପାରେ ବୋଲି ଜଣେ ରାଜନୈତିକ ସମୀକ୍ଷକ କହିଛନ୍ତି।

Leave a Reply

Your email address will not be published. Required fields are marked *