ବିଜେଡିର ଗଡ଼ ଭାଙ୍ଗୁଛି ବିଜେପି, କଂଗ୍ରେସ କଣ କରିବ?

ଭୁବନେଶ୍ୱର: ଡ଼ିଶାରେ ରାଜନୈତିକ ସମୀକରଣ ବଦଳୁଛି। ତୃଣମୂଳ ସ୍ତରରେ ଜୋରଦାର ମାଡ଼ି ଚାଲିଛି ବିଜେପି, ଯାହା ବିଜେଡି ପାଇଁ ବଡ଼ ଚିନ୍ତାର କାରଣ ହେଉଛି। କେନ୍ଦ୍ରାପଡାରୁ କଳାହାଣ୍ଡି, ଗଞ୍ଜାମରୁ ଯାଜପୁର ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ବିଜେପି ନିଜର ପ୍ରଭାବ ବଢ଼ାଇବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ଗଡ଼ଗୁଡ଼ିକ ପରେ ଗୋଟିକ ଭାଙ୍ଗୁଛି।

ବୁଧବାର ଧର୍ମଶାଳାରେ ବିଜେଡିର ଗଡ଼ ଭୁଷୁଡ଼ିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ତଥା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଇଛନ୍ତି। ୩୮ ଜଣ ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ ଓ ସ୍ବାଧୀନ ବିଧାୟକ ହିମାଂଶୁ ସାହୁଙ୍କ ରାଜନୈତିକ ଚାଲରେ ପ୍ରଭାତଙ୍କ ଅଭେଦ୍ୟ ଗଡ଼ ଭାଙ୍ଗିଛି। ଏହା ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ସୁଯୋଗ ସୃଷ୍ଟି କରିଛି। ଅନ୍ୟପଟେ, ଗଞ୍ଜାମର ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ କେନ୍ଦ୍ରାପଡାର ମହାକାଳପଡା ବ୍ଲକରେ ହାରିଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷମାନେ।୨୦୨୪ ଆଗରୁ ଯେଉଁଗୁଡା ବିଜେଡିର ଗଦା ବୋଲି ବିବେଚନା କରାଯାଉଥିଲା ଏବେ ସେଠାରେ ମାଡି ଚାଲିଛି ବିଜେପି ତଥା ନିଜର ମୁଳୁଦିଅକୁକୁ ସୁଦୃଢ କରିବାରେ ଲାଗିପଡିଛି| ରାଜନୈତିକ ଚର୍ଚ୍ଚା ଅନୁଯାୟୀ, ଏହା କେବଳ ଆରମ୍ଭ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଅନେକ ବ୍ଲକରେ ବିଜେଡି ଦୁର୍ବଳ ହେବ ବୋଲି ଆଲୋଚନା କରାଯାଉଛି।

ଏସବୁ ଭିତରେ କଂଗ୍ରେସ ପାଇଁ ସ୍ଥିତି ଜଟିଳ ହେଉଛି। ବିଜେପି ତୃଣମୂଳରେ ମଜବୁତ ହେଉଥିବା ବେଳେ, କଂଗ୍ରେସ ଏଯାଏଁ ଅନେକ ଜିଲ୍ଲାରେ ସଭାପତି ଘୋଷଣା କରିନାହିଁ। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ସେ ତୃଣମୂଳ ସ୍ତରରେ ମଜବୁତ ହେବାକୁ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। କିନ୍ତୁ କଂଗ୍ରେସ କେମିତି ଶାସକ ଦଳ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବ? ଧର୍ମଶାଳାରେ ଯୁବ ନେତୃତ୍ୱ ଯେମିତି ବାଜି ପଲଟାଇ ଦେଇଛନ୍ତି, କଂଗ୍ରେସ କଣ ଯୁବ ନେତାମାନଙ୍କୁ ସୁଯୋଗ ଦେବ? ପୁରୁଖା ନେତାମାନେ ଫେଲ ହେଉଥିବା ବେଳେ, ନୂଆ ଚେହେରାଙ୍କୁ ଆଗେଇ ଆଣିବା କଂଗ୍ରେସ ପାଇଁ ଏକମାତ୍ର ବିକଳ୍ପ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ରାଜନୈତିକ ଲଢ଼େଇ ଜୋରଦାର ହେବାରେ ଲାଗିଛି। ବିଜେପିର ଗେରୁଆ ମାଡ଼ି ଜାରି ରହିଥିବା ବେଳେ, ବିଜେଡି ଓ କଂଗ୍ରେସ କେମିତି ଏହାର ମୁକାବିଲା କରିବେ, ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *