ଜାନୁଆରୀ ୧୬ ରାତିରେ କଣ ହୋଇଥିଲା, ସବୁ କହିଦେଲେ ସୈଫ୍ ଅଲ୍ଲୀ ଖାନ୍!
ମୁମ୍ବାଇ: ଜାନୁଆରୀ ୧୬ରେ ନିଜ ଘରେ ଦୁର୍ବୃତ୍ତଙ୍କ ଦ୍ୱାରା ଏକାଧିକ ଥର ଛୁରାମାଡ଼ର ଶିକାର ହୋଇଥିବା ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଗୁରୁବାର ସନ୍ଧ୍ୟାରେ ବାନ୍ଦ୍ରା ପୁଲିସକୁ ଘଟଣା ବିଷୟରେ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନ୍ ପୁଲିସକୁ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ କରୀନା କପୁର ଖାନ୍ ୧୧ ମହଲାରେ ଥିବା ନିଜ ବେଡ ରୁମରେ ଥିଲେ । ଏହି ସମୟରେ ଘରର ସହାୟକ ଏଲାୟାମା ଫିଲିପ୍ସଙ୍କ ଚିତ୍କାର ଶୁଣିଥିଲେ। ଫିଲିପ୍ ମଧ୍ୟ ତାଙ୍କ ସାନ ପୁଅ ଜାହାଙ୍ଗୀର (ଜେହ)ର ଯତ୍ନ ନିଅନ୍ତି। ଫିଲିପ୍ ମଧ୍ୟ ଶୋଇଥିବା ଜେହଙ୍କ କୋଠରୀରେ ପହଞ୍ଚିଥିଲେ । ଏହାପରେ ସେ ଜଣେ ଅଜଣା ଲୋକ ପ୍ରବେଶ କରିଥିବା ଜାଣିବାକୁ ପାଇଥିଲେ।
ଜେହ କାନ୍ଦୁଥିଲା ଏବଂ ସୈଫ ଅଲ୍ଲୀ ଖାନ୍ ଅଜଣା ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା । ଏହି ସମୟରେ ଅନୁପ୍ରବେଶକାରୀ ଜଣକ ସୈଫ ଅଲ୍ଲୀ ଖାନଙ୍କ ପିଠି, ବେକ ଏବଂ ବାହୁରେ ଅନେକ ଥର ଛୁରା ମାଡ଼ କରିଥିଲା।
ଆହତ ସତ୍ତ୍ୱେ ସୈଫ୍ ଅଲ୍ଲୀ ଖାନ୍ ଦୁର୍ବୃତ୍ତଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ । ଘରର କର୍ମଚାରୀ ଜେହଙ୍କ ସହ ବାହାରକୁ ଦୌଡ଼ି ଯାଇଥିଲେ ସୈଫ୍। ଏହି ସମୟରେ ଆକ୍ରମଣକାରୀଙ୍କୁ ଏକ ରୁମରେ ବନ୍ଦ କରି ଦେଇଥିଲେ।
ଏହି ସମୟରେ ଆହତ ହୋଇଥିବା ଫିଲିପ୍ (୫୬) ପରେ ସୈଫ୍ ଅଲ୍ଲୀ ଖାନ୍ ଙ୍କୁ କହିଥିଲେ ଯେ ସେ ଜେହଙ୍କ କୋଠରୀରେ ସେହି ବ୍ୟକ୍ତିଙ୍କୁ ପାଇଛନ୍ତି ଏବଂ ତାଙ୍କଠାରୁ ୧ କୋଟି ଟଙ୍କା ମାଗିଥିଲେ।
ଏହି ଘଟଣା ପରେ ସୈଫ୍ ଅଲ୍ଲୀ ଖାନଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମେରୁଦଣ୍ଡଠାରୁ ମାତ୍ର ୨ ମିଲିମିଟର ଦୂରରେ ଛୁରା ମାଡ଼ ହୋଇଥିବା ଡାକ୍ତରମାନେ କହିଛନ୍ତି। ବେକ ଓ ହାତରେ ଆଘାତ ଲାଗିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି ଏବଂ ଜାନୁଆରୀ ୨୧ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ପୋଲିସ କହିଛି ଯେ ଅଭିନେତାଙ୍କ ଫ୍ଲାଟରେ ପଶିଥିବା ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିଲା। ଏହି ଅନୁପ୍ରବେଶକାରୀ ଜଣକ ହେଉଛନ୍ତି ବାଂଲାଦେଶୀ ନାଗରିକ ମହମ୍ମଦ ସରିଫୁଲ ଇସଲାମ୍ ଶହଜାଦ୍, ତାଙ୍କୁ ଥାନେରୁ ଗିରଫ କରାଯାଇଛି।
ସେପଟେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ଫ୍ଲାଟରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ ସରିଫୁଲଙ୍କ ଫିଙ୍ଗରପ୍ରିଣ୍ଟ ସହ ସୁନିଶ୍ଚିତ ହୋଇଛି ।
