ଉପରାଷ୍ଟ୍ରପତି ନିର୍ବାଚନରେ କଣ କରିବ ବିଜେଡି?

ଭୁବନେଶ୍ୱର: ସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି | ଆଉ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି | କେନ୍ଦ୍ରରେ ଏନଡିଏ ପକ୍ଷରୁ ସିପି ରାଧାକୃଷ୍ଣନଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି | ସିପି ରାଧାକୃଷ୍ଣନ ଗୁଜୁରାଟର ରାଜ୍ୟପାଳ ଥିବାବେଳେ ସେ ବାସ୍ତବରେ ତାମିଲନାଡୁର ଅଧିବାସୀ | ତେବେ ଏହି ନିର୍ବାଚନରେ ବିଜେଡି ବା ବିଜୁ ଜନତା ଦଳ କଣ କରିବ? ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି | ନିର୍ବାଚନରେ ବିଜେଡି କେଉଁଆଡକୁ ଢଳିବ, ଏନଡିଏକୁ ସମର୍ଥନ କରିବ ନା ଭୋଟଦାନରୁ ବିରତ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି | ଅନ୍ୟପଟେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି | ନବୀନ ପଟ୍ଟନାୟକଙ୍କର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବାବେଳେ ଆଜି ରାଜନାଥ ଫୋନ କରି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ | କୁହାଯାଉଛି ଯେ ସୁସ୍ଥ ହୋଇ ନବୀନ ଫେରିବା ପରେ ହିଁ ଏବାବଦରେ ନିଷ୍ପତ୍ତି ନେବେ | ଉଲ୍ଲେଖ ଥାଉ କି କିଛିଦିନ ତଳେ ଅବଶ୍ୟ ବିଜେଡି ନେତା ମହେଶ ସାହୁ କହିଥିଲେ ଯେ ଏଥର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ନାହିଁ, ଏଥର ପରିସ୍ଥିତି ଭିନ୍ନ ରହିଛି, ତେଣୁ ସମର୍ଥନ କରିବାର ଦରକାର ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ | ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଣ ପଦକ୍ଷେପ ନେବ ତାହା କେବଳ ନବୀନଙ୍କ ନିଷ୍ପତ୍ତି ଉପରେ ହିଁ ନିର୍ଭର କରେ |

Leave a Reply

Your email address will not be published. Required fields are marked *