ବିଜେଡିରେ ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ଚର୍ଚ୍ଚା: ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ବିଜେଡିରେ ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଠନର ନିର୍ଦ୍ଦେଶକୁ ରୂପାନ୍ତରିତ କରିବା ପାଇଁ ଏହି ଦମ୍ପତି ଉଦ୍ୟମ କରିଛନ୍ତି। ପୁରୀର ଅନେକ ବିକାଶ ହୋଇଛି। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ହୋଇଛି। ମହିଳା ମାନେ ଝୁରୁଛନ୍ତି। ଯିଏ କାମ କରିଛି ତାଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ଅଛି। ନୂତନ ଓଡ଼ିଶା ପାଇଁ ତାଙ୍କ ଅବଦାନ ରହିଛି, ଏକଥା ଅସ୍ବୀକାର କରାଯାଇ ପାରିବନି। ଲୋକଙ୍କର ଜୀବନ ସାରା ମନେ ରହିବ। ଚର୍ଚ୍ଚା ର କୌଣସି ମାନେ ନାହିଁ। ଯାହା ହେବ ସମସ୍ତେ ଜାଣିବେ। ଯିଏ ଭଲ କାମ କରିଛନ୍ତି ଲୋକେ ତାଙ୍କୁ ମନେ ପକାଉଛନ୍ତି। ନବୀନ ପଟନାୟକଙ୍କ ନିଷ୍ପତି ଅନୁସାରେ ସବୁ ଚାଲିଛି। ସେ ଯାହା ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ।ସମସ୍ତଙ୍କ ନେଇ ଆଗକୁ ଚାଲିଛନ୍ତି ନବୀନ ପଟ୍ଟନାୟିକ। ସବୁ ବରିଷ୍ଠଙ୍କୁ ଦଳ ସମ୍ମାନ ଦେଉଛି। ସମସ୍ତଙ୍କୁ ନେଇ ନବୀନ ବାବୁ ଚାଲିଛନ୍ତି ଆଗକୁ ବି ଚାଲିବେ।
ବିଜେଡିର ଆଭିମୁଖ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, “ସେପ୍ଟେମ୍ବର ୯ରେ ନିର୍ବାଚନ ହେବ। ନବୀନ ପଟ୍ଟନାୟକ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ। ସେ ସବୁବେଳେ ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଛନ୍ତି। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯାହା ଉଚିତ, ତାହା ନିଷ୍ପତ୍ତି ନେବେ।” ସେ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ପ୍ରତି ମୁହୂର୍ତ୍ତରେ ଓଡ଼ିଶାର କଥା ଚିନ୍ତା କରୁଛନ୍ତି ଏବଂ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖି ନିଷ୍ପତ୍ତି ନେବେ।ଯୁବ ଓ ଛାତ୍ର ବିଜେଡିର ନୂତନ ନିଯୁକ୍ତି ଓ ବୈଠକନବୀନ ନିବାସରେ ଅନୁଷ୍ଠିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ନିଯୁକ୍ତ ଯୁବ ଓ ଛାତ୍ର ବିଜେଡି ସଭାପତିମାନେ ଉପସ୍ଥିତ ଥିଲେ। ଏହି ବୈଠକ ବିରୋଧୀଙ୍କ ମେଳି ପରେ ବେଶ ଗୁରୁତ୍ୱ ବହନ କରୁଛି। ବୈଠକରେ ନୂତନ ସଭାପତିଙ୍କ ନିଯୁକ୍ତିକୁ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ନେଇ ଆଲୋଚନା ହୋଇଛି। ଶୁଭାଶିଷ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି, “ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ। ବିଜେଡିରେ ନେତା ଜଣେ, ସେ ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ନିଷ୍ପତ୍ତିକୁ ସମସ୍ତେ ମାନୁଛନ୍ତି ଓ ମାନିବେ।”ବୈଠକ ପରେ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, “ବସ୍ ଇଜ ଅଲୱେଜ ରାଇଟ। ଦଳରେ କୌଣସି ଅସନ୍ତୋଷ ନାହିଁ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ କାମ କରିବେ।
ସେ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଯୁବ ଓ ଛାତ୍ର ସଂଗଠନକୁ ମଜଭୁତ କରିବା ପାଇଁ ନବୀନ ପଟ୍ଟନାୟକ ନୂତନ ସଭାପତି ଚୟନ କରିଛନ୍ତି ଏବଂ ଏକ କମିଟି ମଧ୍ୟ ଗଠନ କରାଯାଇଛି।ଯୁବ ବିଜେଡି ସଭାପତିଙ୍କ କଡ଼ା ଜବାବଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ବୟାନବାଜି କରୁଥିବା ବରିଷ୍ଠ ନେତାଙ୍କୁ ତେରଛା ବାଣ ମାରି କହିଛନ୍ତି, “ସାର୍ଙ୍କଠାରୁ ଆଜି ଅନୁମତି ଆଣିଛୁ। ଏଣିକି ରାଜାର ପୁଅ ରାଜା ହେବ ନାହିଁ। ଯିଏ କାବିଲ, ସେ ହିଁ ଦାୟିତ୍ୱ ନେବେ।” ସେ ଆହୁରି କହିଛନ୍ତି, “ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲାଯିବ। ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯିବ। ବିଜେଡି ଏକ ବିରାଟ ଓ ଶକ୍ତିଶାଳୀ ଦଳ। ଯେଉଁମାନେ ଦୀର୍ଘ ବର୍ଷ ଧରି ଯୁବ ଓ ଛାତ୍ର ସଂଗଠନରେ ସଂଘର୍ଷ କରିଛନ୍ତି, ତାଙ୍କ ପାଖରେ ପହଞ୍ଚି ଆଲୋଚନା କରାଯିବ। ସେମାନଙ୍କ ଦକ୍ଷତା ପରଖା ଯାଇ ଆଗାମୀ ଦିନରେ ସେମାନଙ୍କୁ ନିଯୁକ୍ତି ଓ ପଦବୀ ଦିଆଯିବ।” ଏହି ବୈଠକ ଓ ପ୍ରତିକ୍ରିୟା ବିଜେଡିର ସାଂଗଠନିକ ମଜଭୁତି ଓ ଏକତା ଉପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ସ୍ପଷ୍ଟ କରୁଛି।
