ପଦରୁ ହଟିଲେ, ଓଏସଡି ପଦକୁ ଗଲେ ବିଷ୍ଣୁପଦ ସେଠୀ

IAS ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ପଦରୁ ହଟାଇ ଓଏସଡି ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ସେପଟେ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । ୨୦୦୬ ବ୍ୟାଚର IAS, ଇଣ୍ଟର-କ୍ୟାଡର୍ ଡେପୁଟେସନରେ ଆସିଛନ୍ତି ମନୋଜ ।
ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ । ସେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିଲେ । ST/SC, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ ବିଷ୍ଣୁପଦ। ପ୍ରକାଶ ଯେ, ସିବିଆଇ ସମନକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ, ତାଙ୍କୁ ପଦରୁ ହଟାଇଛନ୍ତି ରାଜ୍ୟ ସରକାର ।