ଉପ-ରାଷ୍ଟ୍ରପତି ନିର୍ବାଚନ: ବିଜେଡିର ନୀରବତା ନେଇ ଚର୍ଚ୍ଚା, ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର
ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭୋଟଗ୍ରହଣ ପୂର୍ବରୁ ସମସ୍ତଙ୍କ ନଜର ବିଜୁ ଜନତା ଦଳ (ବିଜେଡି) ଉପରେ ରହିଛି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ସହଜ ସ୍ଥିତିରେ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସାଧାରଣ ନୀରବତା ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେଡି ତରଫରୁ କାହାକୁ ସମର୍ଥନ କରାଯିବ, ତାହା ସ୍ପଷ୍ଟ ହୋଇନାହିଁ। ନବୀନ ପଟ୍ଟନାୟକ ଏଯାଏଁ ନିଜର ରାଜନୈତିକ କାର୍ଡ ଖୋଲିନାହାନ୍ତି, ଯାହା ଏନଡିଏ ଓ ଇଣ୍ଡିଆ ମେଣ୍ଟ ଉଭୟଙ୍କୁ ଅନିଶ୍ଚିତତାରେ ରଖିଛି। ତେବେ, ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ବିଜେଡିର ପୂର୍ବ ଆଭିମୁଖ୍ୟକୁ ଦେଖିଲେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ନବୀନ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରନ୍ତି।
ନିର୍ବାଚନକୁ ଆଉ ମାତ୍ର ସପ୍ତାହରୁ କମ ସମୟ ବାକି ଥିବା ବେଳେ ବିଜେଡି ସୁପ୍ରିମୋ ଏଯାଏଁ ଦଳୀୟ ସାଂସଦମାନଙ୍କୁ ଏକାଠି କରି କୌଣସି ଆଲୋଚନା କରିନାହାନ୍ତି କିମ୍ବା ଦଳର ସ୍ପଷ୍ଟ ଆଭିମୁଖ୍ୟ ଘୋଷଣା କରିନାହାନ୍ତି। ଦଳୀୟ ସାଂସଦମାନେ କହିଛନ୍ତି ଯେ, ନବୀନ ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ, ବିଜେଡି ନେତୃତ୍ବ ଚାହୁଁଛନ୍ତି ଯେ, ୱାକଫ୍ ବୋର୍ଡ ନିର୍ବାଚନ ସମୟରେ ସଂସଦୀୟ ଦଳରେ ଦେଖାଦେଇଥିବା ବିଭାଜନ ପରି ପରିସ୍ଥିତିର ପୁନରାବୃତ୍ତି ଏଥର ନହେଉ।
ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ବିଜେଡିର ନିଷ୍ପତ୍ତି ରାଜନୈତିକ ଦିଗକୁ ପ୍ରଭାବିତ କରିବ ବୋଲି ଆଲୋଚନା ଜୋର ଧରିଛି।
