ଭେଟେରାନଙ୍କ ଭେଟଘାଟ: ନୂଆ ଫ୍ରଣ୍ଟର ମୂଳ ଦୁଆ ପଡ଼ିବାକୁ ନେଇ ହେଲାକି ଚର୍ଚ୍ଚା?

ଭୁବନେଶ୍ୱର: ଡ଼ିଶାର ରାଜନୈତିକ ମହଲରେ ନୂଆ ଫ୍ରଣ୍ଟ ଗଠନର ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ବନ୍ଧୁମିଳନ ସଭା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଆଣିଛି। ଏହି ସଭାରେ ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଁସଦା ପରି ବିଜେଡିର ପୂର୍ବତନ ହେଭିୱେଟ ନେତାମାନେ ଉପସ୍ଥିତ ଥିଲେ। ତେବେ, ଏହି ସଭାକୁ ‘ବନ୍ଧୁମିଳନ’ ନାମ ଦିଆଯାଇଥିଲେ ମଧ୍ୟ, ରାଜନୈତିକ ମହଲରେ ଏହା ନୂଆ ଆଞ୍ଚଳିକ ଦଳ ଗଠନର ପ୍ରାରମ୍ଭିକ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଭି.କେ. ପାଣ୍ଡିଆନଙ୍କ ଦଳ ଉପରେ ପ୍ରଭାବ ଏବଂ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଏହି ସଭାରେ ଉପସ୍ଥିତ ନେତାମାନେ ବିଜେଡିରେ ପାଣ୍ଡିଆନଙ୍କ ବଢ଼ୁଥିବା ପ୍ରଭାବ ଏବଂ ଦଳର ଅନ୍ତଃକଳହକୁ ନଜରରେ ରଖି ନୂଆ ରାଜନୈତିକ ଆଞ୍ଚଳିକ ଦଳ ଗଠନ ଉପରେ ଆଲୋଚନା କରିଥିବାର ଆଶଙ୍କା କର ଯାଉଛି |

ଏହି ସଭାରେ ନୂଆ ଦଳ ଗଠନ ନେଇ ସମ୍ଭାବନା ଉପରେ ଆଲୋଚନା ହୋଇଥିବା ବେଳେ ନେତୃତ୍ୱ କିଏ ନେବ ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ତେବେ, ରାଜ୍ୟରେ ଅନ୍ୟ କେତେକ ବଡ଼ ନେତାଙ୍କ ସମର୍ଥନ ମିଳିଲେ ଏହି ଫ୍ରଣ୍ଟ ଆଗାମୀ ଦିନରେ ବିଜେଡି ଓ ବିଜେପି ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଓଡ଼ିଶାରେ ଆଞ୍ଚଳିକ ରାଜନୀତିର ଗୁରୁତ୍ୱ ସବୁବେଳେ ରହିଆସିଛି। ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିଲେ ମଧ୍ୟ, ୨୦୨୪ ନିର୍ବାଚନରେ ବିଜେପି କ୍ଷମତା ହାସଲ କରିବା ପରେ ଅନେକେ ଏକ ବିକଳ୍ପ ଆଞ୍ଚଳିକ ଶକ୍ତିର ଆବଶ୍ୟକତା ଅନୁଭବ କରୁଛନ୍ତି। ଏହି ସଭାରେ ଉପସ୍ଥିତ ନେତାମାନେ ‘ଓଡ଼ିଆ ଅସ୍ମିତା’ ଓ ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦେଇଥିବା କୁହାଯାଉଛି। ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, “ଯଦି ଆଞ୍ଚଳିକ ଦଳ ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବାରେ ବିଫଳ ହୁଏ, ତେବେ ଏକ ନୂଆ ବିକଳ୍ପର ଆବଶ୍ୟକତା ଅନୁଭୂତ ହେବ।” ତେବେ, କିଛି ନେତା ବିଜେଡି ରୁ ବାଦ୍ ପଡ଼ିଥିବା ବେଳେ ଆଉ କିଛି ଦଳରେ କୋଣଠେସା। ସୌମ୍ୟ ବାବୁ ଜଣେ ପୋଖତ ରାଜନେତା। ସବୁ ପୁରୁଖା ନେତା ମିଶି ନୂଆ ସମୀକରଣ କରୁଛନ୍ତି କି? ଚର୍ଚ୍ଚା ହେଉଛି ସୌମ୍ୟା ପଟ୍ଟନାୟକ ନୂଆ ଅବତାରରେ ଅବତୀର୍ଣ୍ଣ ହୋଇପାରନ୍ତି। ଚୁପ୍ ବସିବା ନେତା ସେ ନୁହେଁ। ତେଣୁ କିଛି ନୂଆ ଯୋଜନାରେ ଲାଗିଛନ୍ତି ପୁରୁଖା ମାନେ।

ଏହି ନୂଆ ଉଦ୍ୟମ କେତେ ଦୂର ସଫଳ ହେବ ଏବଂ କିଏ ଏହାର ନେତୃତ୍ୱ ନେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ରାଜ୍ୟରେ ବିଜେଡି ଓ ବିଜେପିର ବିକଳ୍ପ ଭାବେ ଏକ ନୂଆ ଆଞ୍ଚଳିକ ଶକ୍ତିର ଉଦୟ ହେବ କି ନାହିଁ, ତାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇ ରହିଛି।

Leave a Reply

Your email address will not be published. Required fields are marked *