ରହସ୍ୟ ବଢ଼ାଉଛି ବାଣୀବିହାର ହଷ୍ଟେଲରେ ଯୁବକଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି | ହଷ୍ଟେଲ ଛାତରୁ ପଡି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି | ସେ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଛାତ୍ର ସଂସଦର ସଭାପତି ଚିନ୍ମୟ ସାହୁଙ୍କ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିଲେ | ଭୋର ସମୟରେ ଡ୍ରାଇଭର ବିଶ୍ଵ ରଞ୍ଜନ ଯାଦବଙ୍କ କ୍ଷତାକ୍ତ ମୃତଦେହ ହଷ୍ଟେଲ କଡରୁ ଉଦ୍ଧାର କରାଯାଇଥିବାବେଳେ ଛାତ୍ର ନ ହୋଇଥିବା ସତ୍ତ୍ୱେ ହଷ୍ଟେଲରେ ବିଶ୍ୱ କଣ କରୁଥିଲେ ଓ ତାଙ୍କର ମୃତ୍ୟୁ କେମିତି ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି | ଅନ୍ୟପଟେ ଏହି ଘଟଣାକୁ ନେଇ ସଂଗୀନ ପ୍ରଶ୍ନ ଉଠାଇଛନ୍ତି ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ପାତ୍ର |
ସେ କହିଛନ୍ତି ଯେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଅରାଜଗତ ସୃଷ୍ଟି କରୁଛି ବିଜୁ ଜନତା ଦଳ | ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଛାତ୍ର ସଂସଦର ସଭାପତି ଚିନ୍ମୟ ସାହୁଙ୍କ ଗାଡି ଚାଳକ ହେଉଛନ୍ତି ମୃତକ ବିଶ୍ୱ ରଞ୍ଜନ ଯାଦବ | ସେ ଜଣେ ଅଣଛାତ୍ର ହୋଇ କେଉଁଭଳି ଭାବେ ଫକୀର ମୋହନ ହଷ୍ଟେଲ ରୁମ ନମ୍ବର ୯୪ରେ କେମିତି ରହୁଥିଲେ | ବିଜୁ ଜନତା ଦଳ କ୍ୟାମ୍ପସରେ ହଷ୍ଟେଲ ବିକ୍ରି କରି ଅଣଛାତ୍ର, ଓଲା, ଉବେର ଚାଳକ ଏବଂ ଛାତ୍ର ବିଜେଡି ନେତାଙ୍କ ଆଡ୍ଡାସ୍ଥଳୀ ପାଲିଟିଛି | ବିଶ୍ୱଜିତ କହିଛନ୍ତି ଯେ ପାଖାପାଖି ୫୫ରୁ ଉର୍ଦ୍ଧ୍ବ ରୁମକୁ ବିଜେଡି କବଜା କରି ରଖିଛି | କଂଗ୍ରେସ, ବିଜେଡି ଏବଂ ଅନ୍ୟ ରାଜନୈତିକ ଦଳମାନେ ଆଉ କେତୋଟି ହଷ୍ଟେଲ କବ୍ଜା କରିଛନ୍ତି ତାହା ମଧ୍ୟ ସାମ୍ନାକୁ ଆସିବା ଦରକାର |
