ୟୁପିଆଇ କାରବାରରେ ଓଡ଼ିଶା ଦେଶରେ ୧୫ମ: ମାସକୁ ୩୪ ହଜାର କୋଟି ଟଙ୍କାର କାରବାର
ଭୁବନେଶ୍ୱର: ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିଥିବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସାରା ଦେଶରେ ଦ୍ରୁତ ଗତିରେ ଲୋକପ୍ରିୟ ହୋଇଛି। ଓଡ଼ିଶାରେ ମଧ୍ୟ ୟୁପିଆଇର ବ୍ୟବହାର ବ୍ୟାପକ ଭାବେ ବଢ଼ିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ତଥ୍ୟ ଅନୁସାରେ, ଗତ ଜୁଲାଇ ମାସରେ ଓଡ଼ିଶାରେ ୟୁପିଆଇ ମାଧ୍ୟମରେ ୩୩,୮୯୦.୨୨ କୋଟି ଟଙ୍କାର କାରବାର ହୋଇଛି। ରାଜ୍ୟବାସୀ ୨୬.୩୭ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ କରିଛନ୍ତି।
ତେବେ, ଜାତୀୟ ସ୍ତରରେ ଓଡ଼ିଶାର ଅବଦାନ ମାତ୍ର ୧.୩୫% ରହିଛି, ଯାହା ଖୁବ୍ ଉତ୍ସାହଜନକ ନୁହେଁ। ୟୁପିଆଇ କାରବାରରେ ଓଡ଼ିଶା ଦେଶରେ ୧୫ତମ ସ୍ଥାନରେ ରହିଛି। ପ୍ରଥମ ଦଶଟି ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର (୯.୧୯%), କର୍ଣ୍ଣାଟକ (୫.୭୬%), ଉତ୍ତରପ୍ରଦେଶ (୫.୨୬%), ତେଲେଙ୍ଗାନା (୫.୦୫%), ତାମିଲନାଡୁ (୪.୬୭%), ଆନ୍ଧ୍ରପ୍ରଦେଶ (୩.୭୩%), ରାଜସ୍ଥାନ (୩.୦୩%), ଗୁଜରାଟ (୨.୯୫%), ଦିଲ୍ଲୀ (୨.୩୫%) ଓ ପଶ୍ଚିମବଙ୍ଗ (୨.୪୮%) ରହିଛନ୍ତି। ମଧ୍ୟପ୍ରଦେଶ, ବିହାର, ହରିୟାଣା ଓ କେରଳ ମଧ୍ୟ ଓଡ଼ିଶାଠାରୁ ଆଗରେ ଅଛନ୍ତି।
ଷ୍ଟେଟ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଦେଶରେ ୟୁପିଆଇ ମାଧ୍ୟମରେ ଦୈନିକ ହାରାହାରି ୯୦ ହଜାର କୋଟି ଟଙ୍କାର କାରବାର ହେଉଛି। ଜାନୁଆରି ୨୦୨୫ରେ ଦୈନିକ କାରବାର ୭୫,୭୪୩ କୋଟି ଥିବାବେଳେ, ଜୁଲାଇରେ ତାହା ୮୦,୯୧୯ କୋଟି ଓ ଅଗଷ୍ଟରେ ୯୦,୪୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସାଧାରଣ ରାସନ କିଣାଠାରୁ ବଡ଼ ପେମେଣ୍ଟ ପର୍ଯ୍ୟନ୍ତ, ୟୁପିଆଇ ଏବେ ଲୋକଙ୍କ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇପଡ଼ିଛି।
ୟୁପିଆଇ କାରବାରରେ ଷ୍ଟେଟ ବ୍ୟାଙ୍କ ଶୀର୍ଷରେ ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଧିକ ଟଙ୍କା ପଠାଉଥିବା ବେଳେ, ଘରୋଇ ବ୍ୟାଙ୍କଗୁଡ଼ିକ ଅଧିକ ଟଙ୍କା ଗ୍ରହଣ କରୁଛନ୍ତି।
