ଓୟୋରେ ପଶିପାରିବେନି ଅବିବାହିତ ପ୍ରେମୀ ଯୁଗଳ, ଏହି ସହରରେ ଲାଗୁ ହେଲା

ଲକ୍ଷ୍ନୌ: ହସ୍ପିଟାଲ ଶିଳ୍ପର ନୂଆ ଷ୍ଟାର୍ଟଅପ୍ ଓୟୋ ଏକ ବଡ଼ ଘୋଷଣା କରିଛି। କଂପାନି ଏହାର ଚେକ୍ ଇନ୍ ନିୟମରେ ପରିବର୍ତ୍ତନ କରି ଏହାକୁ କମ୍ପାନି ସହ ଜଡ଼ିତ ହୋଟେଲରେ ଲାଗୁ କରିବାକୁ କହିଛି। ଓୟୋର ନୂଆ ନିୟମ ଅନୁଯାୟୀ ଅବିବାହିତ ଦମ୍ପତି ଆଉ ରୁମ୍ ବୁକ୍ କରିପାରିବେ ନାହିଁ। ହୋଟେଲ ବୁକିଂ କମ୍ପାନୀ ଓୟୋ ପାର୍ଟନର ହୋଟେଲ ପାଇଁ ଚେକ୍-ଇନ୍ ନିୟମରେ ସଂଶୋଧନ କରି ଚଳିତ ବର୍ଷଠାରୁ ନୂଆ ଗାଇଡଲାଇନ ଲାଗୁ କରିଛି | ଯେଉଁଥିରେ କୁହାଯାଇଛି ଯେ ଅବିବାହିତ ଦମ୍ପତି ଆଉ ଚେକ୍ ଇନ୍ କରିପାରିବେ ନାହିଁ ଏବଂ ଏହି ନିୟମ ଉତ୍ତରପ୍ରଦେଶର ମିରଟରୁ ଲାଗୁ ହେବ।
କଂପାନି ଏହାର ପାର୍ଟନର ହୋଟେଲଗୁଡ଼ିକୁ ଚେକିଂ ସମୟରେ ସମସ୍ତ ଦମ୍ପତିଙ୍କୁ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ମାଗିବାକୁ କହିଛି। ଏହି ନିୟମ ଓୟୋର ପାର୍ଟନର ହୋଟେଲରେ ହେଉଥିବା ଅନଲାଇନ ବୁକିଂ ଉପରେ ମଧ୍ୟ ଲାଗୁ ହେବ । ତେବେ ଓୟୋ ହୋଟେଲଗୁଡ଼ିକୁ ସେମାନଙ୍କ ସାମାଜିକ ସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଦେଇଛି। ଅର୍ଥାତ୍ କଂପାନିର ପାର୍ଟନର ହୋଟେଲଗୁଡ଼ିକ ସେହି ଅନୁଯାୟୀ ଏହି ନିୟମକୁ କାର୍ଯ୍ୟକାରୀ କରିପାରିବେ।
ଏହି ନିୟମ ବର୍ତ୍ତମାନ ମିରଟର ଓୟୋ ହୋଟେଲରେ ଲାଗୁ ହେବ, କିନ୍ତୁ ରିପୋର୍ଟ ଅନୁଯାୟୀ ଯଦି କମ୍ପାନୀ ଏଠାରୁ ଭଲ ମତାମତ ପାଇବ, ତେବେ ଅନ୍ୟ ସହରରେ ମଧ୍ୟ ଏହି ନିୟମ ଲାଗୁ କରିବାକୁ ବିଚାର କରିବ । ଓୟୋ ତରଫରୁ କୁହାଯାଇଛି ଯେ ମିରଟର ଲୋକମାନେ ଅବିବାହିତ ଦମ୍ପତିଙ୍କୁ ହୋଟେଲ ନ ଦେବା ପାଇଁ ନିବେଦନ କରିଛନ୍ତି । ଏହାବ୍ୟତୀତ ଏ ନେଇ ସାରା ଦେଶରୁ ଅନେକ ପିଟିସନ ମଧ୍ୟ ଦାଖଲ କରାଯାଇଛି।
ଏହି ସଂଶୋଧିତ ନୀତି ଟ୍ରାଭେଲ ବୁକିଂ କମ୍ପାନୀର ଏକ ଅଂଶ ବିଶେଷ ଯାହା ପରିବାର, ଛାତ୍ର, ବ୍ୟବସାୟ, ଧାର୍ମିକ ଯାତ୍ରୀ ଏବଂ ଏକାକି ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଅନୁଭୂତି ପ୍ରଦାନ କରୁଥିବା ଏକ ବ୍ରାଣ୍ଡ ଭାବରେ ନିଜକୁ ପୁନଃବ୍ରାଣ୍ଡ କରିବ ବୋଲି ଓୟୋ କହିଛି। କମ୍ପାନି କହିଛି ଯେ ଦୀର୍ଘ ସମୟ ରହିବା ଏବଂ ବାରମ୍ବାର ବୁକିଂକୁ ପ୍ରୋତ୍ସାହିତ କରିବା ମଧ୍ୟ ଏହାର ଲକ୍ଷ୍ୟ।
ନିକଟରେ ଟ୍ରାଭେଲ୍ ପେଡ଼ିଆ ୨୦୨୪ର ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଓୟୋ ହୋଟେଲ ବୁକିଂ ସମ୍ପର୍କିତ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଅବିବାହିତ ଦମ୍ପତିମାନେ ଓୟୋ ମାଧ୍ୟମରେ ଅଧିକ ରୁମ୍ ବୁକ୍ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ଯୁବକମାନେ ଓୟୋର ସେବାକୁ ସର୍ବାଧିକ ଗ୍ରହଣ କରିଛନ୍ତି। ଏହାପରେ ଦେଶର ଅନେକ ମେଟ୍ରୋ ସହରର ନାମ ମଧ୍ୟ ସାମିଲ କରାଯାଇଛି । ଏଭଳି ସ୍ଥିତିରେ ଓୟୋର ଏହି ନିଷ୍ପତ୍ତିର ବ୍ୟବସାୟ ଉପରେ କେତେ ପ୍ରଭାବ ପଡୁଛି ତାହା ଦେଖିବା ରୋଚକ ହେବ।