ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା: ଲାଭବାନ ହେବ କି ଓଡିଶା?
ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି। ରାଜିନାମାରେ ଦ୍ବିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ବିଗୁଣିତ କରି ୧୨୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ଏହି ବାଣିଜ୍ୟ ରାଜିନାମାରେ ରଖାଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟ ପରିମାଣ ୫୬ ବିଲିୟନ ଡଲାର ରହିଥିବା ବେଳେ ରାଜିନାମା ଫଳରେ ବ୍ରିଟେନରେ ଚମଡ଼ା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଏବଂ ରାସାୟନିକ ସାମଗ୍ରୀ ଆଦି ବିନା ଶୁଳ୍କରେ ପହଞ୍ଚି ପାରିବ।
ଗୋଆ ଫେନି (ଏକ ପ୍ରକାର ପାନୀୟ), କୋହ୍ଲାପୁରୀ ଚପଲ, ପଣସ, ବାସୁମତି ଚାଉଳଠାରୁ ଆରମ୍ଭ କରି ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଭାରତ ଲାଭବାନ ହେବ। ଏନେଇ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ୯୯ ପ୍ରତିଶତ ରପ୍ତାନି ବିନା ଶୁଳ୍କରେ ବ୍ରିଟେନରେ ପହଞ୍ଚି ପାରିବ। ୯୫ ପ୍ରତିଶତରୁ ଅଧିକ କୃଷିଜାତ ଖାଦ୍ୟ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଭାରତରେ ଉତ୍ପାଦନ ହେଉଥିବା ବିଭିନ୍ନ ଶସ୍ୟ, ହଳଦୀ, ମରିଚ, ଗୁଜୁରାତି, ଆଚାର ଏବଂ ଡାଲି ଆଦି ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନକୁ ରପ୍ତାନି କରାଯାଇ ପାରିବ।
କୃଷି ସାମଗ୍ରୀ ବ୍ୟତୀତ ମତ୍ସ୍ୟ ସାମଗ୍ରୀ କ୍ଷେତ୍ର ମଧ୍ୟ ଲାଭବାନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡ଼ୁର ବ୍ୟବସାୟୀମାନେ ଏହାଦ୍ବାରା ବ୍ରିଟେନର ସାମୁଦ୍ରିକ ଖାଦ୍ୟ ବଜାରରେ ସହଜରେ ପ୍ରବେଶ କରିପାରିବେ। ସେହିଭଳି ମହାରାଷ୍ଟ୍ରର ଚାଷୀମାନେ ଅଙ୍ଗୁର ଓ ପିଆଜ, ଗୁଜରାଟର ଚାଷୀମାନେ ବାଦାମ ଓ କପା, ପଞ୍ଜାବ ଓ ହରିୟାଣାର ଚାଷୀମାନେ ବାସୁମତି ଚାଉଳ, କେରଳର ଚାଷୀମାନେ ମସଲା ଏବଂ ଉତ୍ତରପୂର୍ବ ରାଜ୍ୟର ଚାଷୀମାନେ ଫଳରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବ୍ରିଟେନକୁ ସହଜରେ ରପ୍ତାନି କରିପାରିବେ।
