ଓଡ଼ିଶା ଅପରାଧ ଶାଖାର ବଡ଼ ସଫଳତା: ୭ କୋଟି ଟଙ୍କାରୁ ଅଧିକ ନିବେଶ ଠକେଇ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

କଟକ: ଓଡ଼ିଶା ପୋଲିସର ଅପରାଧ ଶାଖା (ସିଆଇଡି-କ୍ରାଇମ ବ୍ରାଞ୍ଚ) ଦୁଇଟି ପୃଥକ ନିବେଶ ଠକେଇ ମାମଲାରେ ବିଶାଳ ସଫଳତା ହାସଲ କରିଛି। ପଞ୍ଜାବର ଲୁଧିଆନା ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଦୁଇ ମାମଲାରେ ମୋଟ ପ୍ରାୟ ୭.୧୮ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ରହିଛି।

ପ୍ରଥମ ମାମଲା (ସାଇବର କ୍ରାଇମ ଥାନା କେସ୍ ନଂ. ୩୮/୨୦୨୪)ରେ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ କରେନ୍ସି, ଆଇପିଓ ଓ ଓଟିସି ଟ୍ରେଡିଂରେ ଅଧିକ ଲାଭ ଦେବାର ଲୋଭ ଦେଖାଇ ୬ କୋଟି ୧୬ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରାଯାଇଥିଲା। ଏହି ମାମଲାରେ ତଦନ୍ତ ଟିମ୍ ଲୁଧିଆନାରୁ ବିଟ୍ଟୁ କୁମାର (୪୧)ଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ମୋବାଇଲ, ସିମ୍, ଡେବିଟ କାର୍ଡ ଆଦି ଜବତ ହୋଇଛି। ବିଟୁ କୁମାରଙ୍କୁ କୋର୍ଟରେ ହାଜର କରାଇ କଟକ ଅଣାଯାଇଛି।

ଦ୍ୱିତୀୟ ମାମଲା (ସାଇବର କ୍ରାଇମ ଥାନା କେସ୍ ନଂ. ୧୦/୨୦୨୫)ରେ ୧ କୋଟି ୧ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ଆସିଛି। ଏହି ମାମଲାରେ ଗୁଣ୍ଟୁରରୁ ଚପଲାମାଡୁଗୁ ସୁଧୀର କୁମାର (୩୩)ଙ୍କୁ ଗିରଫ କରାଯାଇଛି। ତାଙ୍କୁ ମଧ୍ୟ କୋର୍ଟରେ ହାଜର କରାଇ କଟକକୁ ଅଣାଯାଇଛି। ସୁଧୀରଙ୍କ ନିକଟରୁ ମୋବାଇଲ, ସିମ୍, ବ୍ୟାଙ୍କ ପାସବୁକ୍, ଚେକ୍ ଆଦି ଜବତ ହୋଇଛି।

ଅପରାଧ ଶାଖା ଜନସାଧାରଣଙ୍କୁ ସଚେତନ କରି କହିଛି, ସୋସିଆଲ ମିଡିଆ କିମ୍ବା ମେସେଜିଂ ଆପ୍ ମାଧ୍ୟମରେ ଆସୁଥିବା ଅଜଣା ନିବେଶ ଅଫରକୁ ଭରସା କରିବା ଉଚିତ୍ ନୁହେଁ। ନିବେଶ ପୂର୍ବରୁ ପ୍ଲାଟଫର୍ମର ବିଶ୍ୱସନୀୟତା ଯାଞ୍ଚ କରିବାକୁ ଏବଂ ଯଦି କୌଣସି ଠକେଇର ଶିକାର ହେବେ, ତେବେ ୧୯୩୦ ସାଇବର ହେଲ୍ପଲାଇନ କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *