ମାସେ ନ ପୂରୁଣୁ ପୁଣି ବଦଳି

ଭୁବନେଶ୍ୱର: ମାସେ ନ ପୂରୁଣୁ ପୁଣି ଆଇଏଏସ ଅଧିକାରୀ ଚଂଚଳ ରାଣାଙ୍କର ବଦଳି ହୋଇଛି | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଚଳିତ ବର୍ଷ ସରଧାବାଲିରେ ରଥ ସମ୍ମୁଖରେ ଦଳାଚକଟା ଭଳି ଅଘଟଣ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ଚଂଚଳ ରାଣାଙ୍କୁ ତରବରିଆ ଭାବେ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା | ଆଉ ଏହି ବଦଳିକୁ ମାସେ ବି ପୁରିନଥିବାବେଳେ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବା ଚଞ୍ଚଳ ରାଣାଙ୍କର ପୁଣିଥରେ ବଦଳି ହୋଇଛି। ରାଜ୍ୟ ସରକାର ତାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନର କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସ୍ଥାନରେ ଶ୍ରୀ ରାଣା ବିଏମ୍‌ସିର ଦାୟିତ୍ୱ ନେବେ। କିନ୍ତୁ ଶ୍ରୀ ପାଟିଲଙ୍କୁ କେଉଁ ଦାୟିତ୍ବ ମିଳିବ ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ବିଜୟ ଅମୃତ କୁଲାଙ୍ଗେଙ୍କ ପରେ ଶ୍ରୀ ପାଟିଲ ବିଏମ୍‌ସି କମିସନର ହୋଇଥିଲେ। ଶ୍ରୀ ପାଟିଲ ୨୦୨୪ ଫେବ୍ରୁଆରିରୁ ଏହି ଦାୟିତ୍ୱରେ ଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କୁ ବଦଳି କରାଯାଇଛି।

ଶ୍ରୀ କୁଲାଙ୍ଗେଙ୍କୁ ମଧ୍ୟ ଦେଢ଼ ବର୍ଷ ବ୍ୟବଧାନରେ ବଦଳି କରାଯାଇଥିଲା। ଅପରପକ୍ଷେ ରଥଯାତ୍ରା ଦଳାଚକଟା ଓ ମୃତାହତ ଘଟଣା ପରେ ରଥଯାତ୍ରା ଭିତରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବଦଳି କରି ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣାଙ୍କୁ ଜରୁରିକାଳୀନ ଭାବେ ପୁରୀ ପଠାଯାଇଥିଲା। ରଥଯାତ୍ରା ଶେଷ ପରେ ଶ୍ରୀ ରାଣାଙ୍କ ପୁଣିଥରେ ବଦଳି ସର୍ବସାଧାରଣଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଖୋର୍ଦ୍ଧାରେ ବି ଶ୍ରୀ ରାଣା ଅଳ୍ପଦିନ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ। ନିକଟରେ ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ବିଜେପି ନେତା ଓ କର୍ପୋରେଟର ଆକ୍ରମଣ କରିଥିଲେ। ସେଦିନ ଶ୍ରୀ ପାଟିଲ ଛୁଟିରେ ଥିଲେ ଓ ଶ୍ରୀ ସାହୁ କମିସନର ଦାୟିତ୍ୱରେ ଥିଲେ। ଏହି ଘଟଣାରେ ୫ରୁ ଅଧିକ ଜଣଙ୍କୁ ପୁଲିସ ଗିରଫ କରିଥିଲା। ରାଜ୍ୟବ୍ୟାପୀ ଏହାକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ଓଡ଼ିଶା ପ୍ରଶାସନିକ ଅଧିକାରୀମାନେ ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହା ପରଠାରୁ ବିଏମ୍‌ସି ଅଧିକାରୀଙ୍କ ମହଲରେ ଭାଳେଣି ପଡିଥିଲା। ଏହି ବିବାଦୀୟ ଘଟଣା ପରେ ପରେ ଶ୍ରୀ ପାଟିଲଙ୍କ ବଦଳି ନେଇ ଚର୍ଚ୍ଚା ଚାଲିଥିଲା।

Leave a Reply

Your email address will not be published. Required fields are marked *