୫ବର୍ଷ ପରେ ପୁଣି ଫେରିଲା ଟିକଟକ : ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ ମତ

ଭୁବନେଶ୍ୱର: ପାଞ୍ଚ ବର୍ଷର ନିଷେଧାଦେଶ ପରେ ଚୀନର ଜନପ୍ରିୟ ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକଟକ ପୁନର୍ବାର ଭାରତକୁ ଫେରିଛି। ୨୦୨୦ ମସିହାରେ ଜାତୀୟ ସୁରକ୍ଷା ଓ ଗୋପନୀୟତା ଚିନ୍ତାକୁ ନେଇ ଭାରତ ସରକାର ଟିକଟକ ସମେତ ଅନେକ ଚାଇନିଜ ଆପକୁ ନିଷିଦ୍ଧ କରିଥିଲେ। କିନ୍ତୁ ସାମ୍ପ୍ରତିକ ସୂଚନା ଅନୁସାରେ, ଟିକଟକ ପୁଣି ଭାରତୀୟ ବଜାରରେ ପ୍ରବେଶ କରିବାର ସୂଚନା ମିଳିଛି, ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

ହେଲେ ସରକାରୀ ସୂତ୍ରମାନେ କହିଛନ୍ତି, “ଭାରତ ସରକାର ଟିକ୍‌ଟକ୍‌ ପାଇଁ କୌଣସି ଅନ୍‌ବ୍ଲକ୍ ଆଦେଶ ଜାରି କରି ନାହାଁନ୍ତି। ଏପରି କୌଣସି ବିବୃତ୍ତି ବା ଖବର ମିଥ୍ୟା ଏବଂ ଭ୍ରମାତ୍ମକ ଅଟେ। ଯଦିଓ ୱେବ୍‌ସାଇଟ୍ କିଛି ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇଛି, କିନ୍ତୁ ଆପ୍ ଷ୍ଟୋର୍‌ରେ ଟିକ୍‌ଟକ୍‌ ଆପ୍ ଏବେ ବି ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ ନାହିଁ ଏବଂ ଲଗ୍‌ଇନ୍ ବା ଭିଡିଓ ଦେଖିବା ସମ୍ଭବ ହେଉ ନାହିଁ।

ଏହି ପ୍ରସଙ୍ଗରେ ଓଡ଼ିଶାର ଜଣାଶୁଣା ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ ନିଜର ମତ ରଖିଛନ୍ତି। ସେ କହିଛନ୍ତି, “ଟିକଟକର ଫେରିବା ଭାରତୀୟ ଯୁବପିଢ଼ି ପାଇଁ ଏକ ନୂଆ ସୁଯୋଗ ଆଣିପାରେ, କିନ୍ତୁ ଏହା ସହିତ ସାଇବର ସୁରକ୍ଷା ଓ ଡାଟା ଗୋପନୀୟତା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଟିକଟକ ପୂର୍ବରୁ ଡାଟା ସୁରକ୍ଷାକୁ ନେଇ ଅଭିଯୋଗର ସମ୍ମୁଖୀନ ହୋଇଥିଲା। ତେଣୁ, ଏଥର ସେମାନଙ୍କୁ ଭାରତୀୟ ଆଇନ ଓ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ।”

ପ୍ରଶାନ୍ତ ସାହୁ ଆହୁରି ମଧ୍ୟ କହିଛନ୍ତି, “ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଯୁବକମାନଙ୍କୁ ସୃଜନଶୀଳତା ପ୍ରକାଶ କରିବାରେ ସାହାଯ୍ୟ କରୁଛି, କିନ୍ତୁ ବ୍ୟବହାରକାରୀମାନେ ମଧ୍ୟ ନିଜ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ସଚେତନ ହେବା ଦରକାର। ସରକାର ଓ ଟିକଟକ କମ୍ପାନୀ ମିଳିତ ଭାବେ ଏକ ନିରାପଦ ଡିଜିଟାଲ ପରିବେଶ ଗଢ଼ିବା ଆବଶ୍ୟକ।”

ଟିକଟକର ଏହି ପ୍ରତ୍ୟାବର୍ତ୍ତନ ଓଡ଼ିଶାରେ ମଧ୍ୟ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ଯୁବକ ଏହାକୁ ନେଇ ଉତ୍ସାହିତ ଥିବା ବେଳେ ସାଇବର ସୁରକ୍ଷା ନେଇ ସତର୍କତା ମଧ୍ୟ ଆଲୋଚନାରେ ରହିଛି। ଟିକଟକର ଭାରତୀୟ ବଜାରରେ ପୁନଃପ୍ରବେଶ ଦେଶର ଡିଜିଟାଲ ଇକୋସିଷ୍ଟମ ଉପରେ କିପରି ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ଦେଖାଯିବ।

Leave a Reply

Your email address will not be published. Required fields are marked *