ବିରାଟ କୋହଲିଙ୍କ ସମେତ ଏହି ୩ ଖେଳାଳି ଅଷ୍ଟ୍ରେଲିଆରେ ଶେଷ କଲେ କ୍ୟାରିଅର!

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ୩-୧ରେ ପରାସ୍ତ କରିଛି। ଏହି ସିରିଜ୍ ଭାରତୀୟ ଖେଳାଳିଙ୍କ ପାଇଁ ବହୁତ ଖରାପ ଥିଲା। ଯଶପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ସିରିଜରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିପାରିନଥିଲେ। ଟିମ୍ ଇଣ୍ଡିଆକୁ ଏବେ ୫ ମାସ ପରେ ପରବର୍ତ୍ତୀ ଟେଷ୍ଟ ସିରିଜ୍ ଖେଳିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଏକ ବଡ଼ ପରିବର୍ତ୍ତନର ସମୟ ଦେଇ ଗତି କରିବ ବୋଲି ବିଶ୍ୱାସ କରାଯାଉଛି। ସେହିପରି ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ବେଳକୁ ଟିମ୍ ଇଣ୍ଡିଆର ଏହି ସଦସ୍ୟ ପ୍ରାୟତଃ ନଥାଇ ପାରନ୍ତି। ଏଭଳି ସ୍ଥିତିରେ ଏହି ଦଳରେ ଏମିତି ୩ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ସମ୍ଭବତଃ ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ୍ ଖେଳିବେ ନାହିଁ।

ଭାରତ ଓ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିକୁ ବିକଳ୍ପ ଭାବେ ଆୟୋଜନ କରିଥାନ୍ତି। ଅର୍ଥାତ୍ ପରବର୍ତ୍ତୀ ବର୍ଡର-ଗାଭାସ୍କର ଟ୍ରଫି ଭାରତରେ ଖେଳାଯିବ, ଯାହା ୨୦୨୬-୨୭ରେ ଖେଳାଯିବ। ଏହାପରେ ୨୦୨୮-୨୯ରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ତା’ପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆରେ ନଖେଳିପାରନ୍ତି। ଏହି ଖେଳାଳିଙ୍କ ବୟସକୁ ଦେଖିଲେ ଏହା ସ୍ପଷ୍ଟ ଯେ ସେମାନେ ସେମାନଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି ଏବଂ ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତ ବେଳକୁ ଏହି ଖେଳାଳିମାନେ ବିଶେଷ କରି ଟେଷ୍ଟ ଫର୍ମାଟରୁ ଅବସର ନେବେ।

ନିକଟରେ ରୋହିତ ଶର୍ମା ଘୋଷଣା କରିଛନ୍ତି ଯେ ସେ ବର୍ତ୍ତମାନ ଟେଷ୍ଟରୁ ଅବସର ନେଉନାହାନ୍ତି। ଅର୍ଥାତ୍ ସେ ଟେଷ୍ଟ ଖେଳିବା ଜାରି ରଖିବେ। କିନ୍ତୁ ରୋହିତ ୨୦୨୮-୨୯ ପର୍ଯ୍ୟନ୍ତ ଟେଷ୍ଟରେ ରହିବେ ନାହିଁ। ବର୍ତ୍ତମାନ ତାଙ୍କର ବୟସ ୩୭ ବର୍ଷ ଏବଂ ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତ ବେଳକୁ ତାଙ୍କୁ ୪୧ ବର୍ଷ ହେବ। ସେହିପରି ବିରାଟ କୋହଲିଙ୍କ ବୟସ ଏବେ ୩୬ ବର୍ଷ ଏବଂ ପରବର୍ତ୍ତୀ ଅଷ୍ଟ୍ରେଲିଆ ଗସ୍ତ ବେଳକୁ ତାଙ୍କୁ ୪୦ ବର୍ଷ ହେବ। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ମଧ୍ୟ ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଛନ୍ତି ଏବଂ ୨୦୨୮-୨୯ ଗସ୍ତ ସୁଦ୍ଧା ତାଙ୍କୁ ୪୦ ବର୍ଷ ହେବ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ଏହି ଗସ୍ତ ବହୁତ ଖରାପ ଥିଲା। ବିରାଟ ୫ଟି ମ୍ୟାଚର ୯ଟି ଇନିଂସରେ ୧ଶତକ ସହ ମାତ୍ର ୧୯୦ ରନ୍ କରିପାରିଥିଲେ। ଏହାବ୍ୟତୀତ ବାକି ୮ଟି ଇନିଂସରେ ଥରେ ବି ସେ ୫୦ ରନ୍ ଛୁଇଁ ପାରିନଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ୩ଟି ମ୍ୟାଚ୍ ର ୫ଟି ଇନିଂସରେ ମାତ୍ର ୩୧ ରନ୍ କରିଥିଲେ। ରୋହିତ ୬.୨୦ ର ଖରାପ ହାରାହାରିରେ ଏହି ରନ୍ କରିଥିଲେ। ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ୩ଟି ମ୍ୟାଚ୍ ର ୫ଟି ଇନିଂସରେ ୨୭.୦୦ ହାରାହାରିରେ ୧୩୫ ରନ୍ କରିଛନ୍ତି। ଯେଉଁଥିରେ ୧ଟି ଅର୍ଦ୍ଧଶତକ ରହିଛି। ଜାଡେଜା ମଧ୍ୟ ଏହି ସିରିଜରେ ୪ଟି ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *