ମାଟିରେ ମିଶିଲା ଗାଁର ଝିଅ
ବଳଙ୍ଗା: ଶେଷରେ ମାଟିରେ ମିଶିଛି ଗାଁର ଝିଅ | ଯେଉଁ ଗାଁ ରେ ସେ ନିଜର ପିଲାଦିନ କାଟିଥିଲା ସେହି ଗ୍ରାମବାସୀଙ୍କ ଉପସ୍ଥିତିରେ ନାବାଳିକାଙ୍କୁ କବର ଦିଆଯାଇଛି | ଦୁଇ ସପ୍ତାହ ଧରି ଜୀବନ ସହ ଲଢେଇ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ହୋଇଛି। ସମୂହ ନମାଜପାଠ ପରେ ତାଙ୍କର ମରଶରୀରକୁ କବର ଦିଆଯାଇଛି।
ଗତକାଲି ମରଶରୀର ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ସମସ୍ତ ପ୍ରକ୍ରିୟା ଶେଷ ପରେ ରାତି ୯ଟାରେ ଇଣ୍ଡିଗୋ ବିମାନରେ ମୃତଦେହ ଦିଲ୍ଲୀ ବିମାନ ବନ୍ଦର ଛାଡ଼ିଥିଲା। ମୃତ ଦେହ ପହଞ୍ଚିବା ପରେ ଶେଷ ସତ୍କାର ପାଇଁ ତାଙ୍କ ଗ୍ରାମକୁ ନିଆଯାଇଥିଲା। ପୁଲିସ କଡା ସୁରକ୍ଷାରେ ତାଙ୍କ ମୃତଦେହକୁ ଗାଁକୁ ନେଇଥିବାବେଳେ ରାତିରେ ନୁହେଁ ବରଂ ସକାଳେ ହିଁ କବର ଦେବାକୁ ପରିବାରବର୍ଗ ନିଷ୍ପତ୍ତି ନେଇଥିଲେ |
ଆଉ ସେହି କ୍ରମରେ ଆଜି କବର ଦିଆଯାଇଛି | ଗାଁରେ ମରଶରୀର ପହଞ୍ଚିବା ପରେ ଛାଇଯାଇଥିଲା ଅସମ୍ଭବ ନିରବତା। ଶୋକରେ ଡୁବିଥିଲେ ପ୍ରିୟ ପରିଜନ। ସବୁଠାରୁ ଦୁଃଖଦାୟକ ଥିଲା ପୀଡ଼ିତାଙ୍କର କବର ଖୋଳା। ପରିଣତ ବୟସରେ ମୃତ୍ୟୁ ପରେ ପର ପିଢ଼ିଙ୍କ ହାତରେ କବର ଖୋଳାକୁ ସହଜରେ ଗ୍ରହଣ କରିହୁଏ। ହେଲେ ଆଜି ପୀଡ଼ିତାଙ୍କ ପରିଜନ (ବଡ଼ବାପା) ମୀର ଲିଆକତ ଅଲ୍ଲୀ କବର ଖୋଳୁଥିବାର ଦୃଶ୍ୟ ସମସ୍ତଙ୍କ ଆଖି ଓଦା କରିଥିଲା। ଯେଉଁ ହାତ ନାବାଳିକାକୁ କୋଳେଇ କାଖେଇ ମଣିଷ କରିବା କଥା, ସେହି ହାତ ଆଜି କବର ଖୋଳିବା ବେଳେ ଥରୁଥିଲା ଯେମିତି। ଲୁହ ଜକେଇ ଆସୁଥିଲା, ବାଷ୍ପରୁଦ୍ଧ ହୋଇଯାଉଥିଲା କଣ୍ଠ।
କବର ଯେତିକି ଯେତିକି ଖୋଳା ହେଉଥିଲା ପରିବେଶ ସେତିକି ଭାବପ୍ରବଣ ହୋଇ ପଡ଼ୁଥିଲା। ୭ ଫୁଟ ଲମ୍ବା, ୩ ଫୁଟ ଓସାରର କବର ଖୋଳିବା ପାଇଁ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଲାଗି ଯାଇଥିଲା ତାଙ୍କୁ। ପରିଜନଙ୍କ ସମେତ ପଡ଼ୋଶୀ ଓ ଆଖପାଖର ଲୋକେ ଗଦା ହୋଇଥିଲେ। କାହା ପାଟିରୁ ପଦେ ହେଲେ କଥା ବାହାରୁ ନଥିଲା। ସମସ୍ତେ ପୀଡ଼ିତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିଲେ।
