ଏଥିପାଇଁ କମିଲା ଚିକେନ୍ ଦର, ମାଛର ବଢିଲା ମୂଲ୍ୟ
ଭୁବନେଶ୍ୱର : ପୁରୀ ଜିଲ୍ଲାର ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ଜଙ୍କିଆ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ମାଡ଼ିମାଡ଼ି ଚାଲିଛି। ଏସବୁ ଅଞ୍ଚଳ ଭୁବନେଶ୍ବରର ନିକଟବର୍ତ୍ତୀ ହୋଇଥିବାରୁ ବାର୍ଡ ଫ୍ଲୁର ପ୍ରଭାବ, ରାଜଧାନୀର ଚିକେନ୍ ବେପାରକୁ ପ୍ରଭାବିତ କରିଛି। ଚିକେନଠାରୁ ମୁହଁ ଫେରାଇ ମାଛ ପ୍ରତି ଆକୃଷ୍ଟ ହୋଇଛନ୍ତି ଗ୍ରାହକ | ଫଳରେ ରୋହି, ଭାକୁର, ଚିଙ୍ଗୁଡ଼ି ଆଦି ମାଛର ଭାଉ ବଢ଼ିଛି। ଚିକେନ୍ ଦର ପାଖାପାଖି ୮୦ ଟଙ୍କା ହ୍ରାସ ସମୟେ ମାଛର ଭାଉ ପ୍ରାୟ ୨୦ଟଙ୍କା ବଢ଼ିଛି।
ଆମିଷ ବାରରେ ଲାଗୁଛି ଗହଳି। ମାତ୍ର ଖାଲି ପଡୁଛି ଚିକେନ କାଉଣ୍ଟର । ଆଗରୁ ଚିକେନ୍ ଦର କିଲୋ ପିଛା ୨୪୦ ଟଙ୍କା(ସାଧାରଣ ମାଂସ)ରୁ ୨୮୦ ଟଙ୍କା(ଲେଗ୍ ପିସ୍) ଥିବା ସମୟରେ ବର୍ତ୍ତମାନ ଚିକେନ ଦର କମିଯାଇ ୧୬୦ ଟଙ୍କାରୁ ୨୦୦ ଟଙ୍କା ହୋଇଛି। ଖଣ୍ଡଗିରି ଓ ଖୋର୍ଦ୍ଧା ସଂଲଗ୍ନ ଅଞ୍ଚଳରେ କିଲୋ ପିଛା ୧୪୦ ଟଙ୍କାକୁ ଖସି ଆସିଛି ଚିକେନ୍ ର ଦାମ । ଦର କମିବା ପରେ ବି ବାର୍ଡ ଫ୍ଲୁ ଭୟରେ ଗ୍ରାହକ ଚିକେନ୍ରୁ ମୁହଁ ଫେରାଉଛନ୍ତି। କିନ୍ତୁ ମାଛ ଦୋକାନରେ ଲାଗୁଛି ପ୍ରବଳ ଗହଳି। ରୋହି, ଭାକୁର ଓ ଚିଙ୍ଗୁଡ଼ିର ମୂଲ୍ୟ ବୃଦ୍ଧି ପାଉଛି। ମାଛ ଚାହିଦା ବଢିବା ଦେଖି ଦରବୃଦ୍ଧି କରିଛନ୍ତି ମାଛ ବେପାରୀ | ପୂର୍ବରୁ ରୋହି, ଭାକୁର ଦର ୧୬୦ ଟଙ୍କାରୁ ୧୮୦ ଭିତରେ ଟଙ୍କା ଥିଲା। କିନ୍ତୁ ମାଛ ଚାହିଦା ବୃଦ୍ଧି ଯୋଗୁ ୧୮୦ରୁ ୨୦୦ ଟଙ୍କାକୁ ବଢୁଛି ଦର। ଏବେ ବଡ ଭାକୁର କିଲୋ ୨୨୦ ଟଙ୍କା ଦେଖିବାକୁ ମିଳୁଛି। କିନ୍ତୁ କିଣିବାକୁ କୁଣ୍ଠାବୋଧ କରୁନାହାନ୍ତି ଲୋକେ | ଫାଷ୍ଟଫୁଡ୍ ବଜାର ଉପରେ ମଧ୍ୟ ବାର୍ଡ ଫ୍ଲୁର ପ୍ରଭାବ ପଡ଼ିଛି। ବେପାର ହୋଇପଡିଛି ପୂରା ମାନ୍ଦା। ହ୍ରାସ ପାଇଛି ଚିକେନ୍ ଆଇଟମ୍ |
ଚିକେନ୍ ବିରିଆନି, ପକୋଡ଼ା, ଚିକେନ୍-ଅଣ୍ଡା ରୋଲ୍ ଓ ଚପ୍, ଚିକେନ୍ ଚାଓମିନ୍ ଓ ଚିକେନ୍ ମୋମୋ ଭଳି ଚାହିଦା ଆଇଟମ୍ ଆଡ଼କୁ ଚାହୁଁ ନାହାନ୍ତି ଗ୍ରାହକ ।
