ଦିଲ୍ଲୀ ଲାଲକିଲ୍ଲାରୁ ଚୋରି ହୋଇଥିବା ସୁନା କଳସ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ସମୁଦାୟର ଧାର୍ମିକ ଅନୁଷ୍ଠାନ ସମୟରେ ଚୋରି ହୋଇଥିବା ମୂଲ୍ୟବାନ ସୁନା କଳସକୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଉଦ୍ଧାର କରିଛି। ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏହି କଳସର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ।

ଘଟଣା ଅନୁଯାୟୀ, କିଛି ଦିନ ପୂର୍ବେ ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଜୈନ ସମୁଦାୟର ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିଲା। ଏହି ସମୟରେ ଏକ ମୂଲ୍ୟବାନ ସୁନା କଳସ ଚୋରି ହୋଇଯାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରିବା ପରେ ସିସିଟିଭି ଫୁଟେଜରେ ଦେଖାଯାଇଥିଲା ଯେ ଜଣେ ବ୍ୟକ୍ତି ଧୋତି ପିନ୍ଧି ଅତି ଚତୁରତାର ସହ ପୂଜା ସ୍ଥଳକୁ ପହଞ୍ଚି ସୁଯୋଗର ଫାଇଦା ନେଇ କଳସଟିକୁ ନିଜ ବ୍ୟାଗରେ ଲୁଚାଇ ନେଇଥିଲେ।

ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଖୁଲାସା କରିଛନ୍ତି ଯେ ମୋଟ ତିନୋଟି କଳସ ଚୋରି ହୋଇଥିଲା, ଯେଉଁଥିରୁ ବର୍ତ୍ତମାନ କେବଳ ଗୋଟିଏ କଳସ ଉଦ୍ଧାର ହୋଇଛି। ଅନ୍ୟ ଦୁଇଟି କଳସ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହି କଳସ କେବଳ ସୁନା ଓ ରତ୍ନରେ ନିର୍ମିତ ଏକ ମୂଲ୍ୟବାନ ବସ୍ତୁ ନୁହେଁ, ବରଂ ଜୈନ ସମୁଦାୟର ପ୍ରତିଦିନର ପୂଜା ଅନୁଷ୍ଠାନରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଥିଲା। ଏହାର ଓଜନ ପ୍ରାୟ ୭୬୦ ଗ୍ରାମ ବୋଲି ଜଣାପଡ଼ିଛି। ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପ୍ରୟାସ ଚାଲିଛି।

Leave a Reply

Your email address will not be published. Required fields are marked *