ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ!

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ବଢ଼ିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏଥିପାଇଁ ସତର୍କ ସୂଚନା ଜାରି କରିଛି।

ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ଏହା ପରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

ଆସନ୍ତା ୩ ଦିନ ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲିଠାରୁ ଦିନ ଓ ରାତିର ତାପମାତ୍ରା ବଢ଼ିବାର ସମ୍ଭାବନା ଥିବାରୁ ସମଗ୍ର ରାଜ୍ୟ ଗରମ ଅନୁଭବ କରିବ। ଅଧିକାଂଶ ସହରରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇଥିଲା, ଯାହାକୁ ଶୀତ ଋତୁ ଶେଷ ହେବାର ସଙ୍କେତ ଭାବେ ବିବେଚନା କରାଯାଉଥିଲା।

ତେବେ ଏହି ତାପମାତ୍ରା ବୃଦ୍ଧି ସହ ବିଭାଗ ପକ୍ଷରୁ ଘନ କୁହୁଡ଼ି ସତର୍କ ସୂଚନା ଜାରି କରାଯାଇଛି । ଯାହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୃଶ୍ୟମାନତା ସ୍ତରକୁ ପ୍ରଭାବିତ କରିପାରେ। ୨୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଜନସାଧାରଣଙ୍କୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସତର୍କ ରହିବାକୁ ସତର୍କ କରାଯାଇଛି।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରାଯାଇଛି।

ପାଣିପାଗର ଏହି ପରିବର୍ତନ ଯୋଗୁଁ ଆସନ୍ତା ୩୧ ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *