ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେଲାନି ରାଜ୍ୟର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ ଝଲକ ଦେଖିବାକୁ ଆଶା ରଖିଥିବା ଓଡିଶାବାସୀଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବକୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଓଡ଼ିଶାର ପ୍ରସ୍ତାବକୁ ୫ ରାଉଣ୍ଡ ଚୟନ ପ୍ରକ୍ରିୟା ପରେ ପ୍ରତ୍ୟାଖ୍ୟାନ କରାଯାଇଛି। ତେବେ ୨୦୨୫ ଜାନୁଆରି ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହେବାକୁ ଥିବା ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‘ଭାରତ ପର୍ବ’ ସାଧାରଣତନ୍ତ୍ର ଦିବସ ପାଳନର ଏକ ଅଂଶ।
ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ ଓ ଚଣ୍ଡିଗଡ଼ର ପ୍ରଜ୍ଞାପନ ମେଢ ଗୁଡ଼ିକୁ ନୂଆଦିଲ୍ଲୀର କର୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଅଂଶଗ୍ରହଣ କରିବାକୁ ଚୟନ କରାଯାଇଛି।