ବୁଲା କୁକୁରଙ୍କ ଆତଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ: ଦିଲ୍ଲୀରୁ ହଟାଇ ଦିଅ ବୁଲା କୁକୁର

ନୂଆଦିଲ୍ଲୀ: ବୁଲା କୁକୁର ଆତଙ୍କକୁ ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ, ଦିଲ୍ଲୀ-ଏନସିଆରରୁ ବୁଲା କୁକୁର ହଟାଇ ଆଶ୍ରୟସ୍ଥଳରେ ରଖିବାକୁ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ସଂଗଠନଙ୍କ ବିରୁଦ୍ଧରେ କାଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଅଞ୍ଚଳକୁ ବୁଲା କୁକୁର ମୁକ୍ତ କରିବାକୁ କୋର୍ଟ ରାୟ ଦେଇ କହିଛନ୍ତି, ଏଥିରେ କୌଣସି ବୁଝାମଣା କରାଯିବ ନାହିଁ । ଦିଲ୍ଲୀ ସରକାର, ଏମସିଡି ଓ ଏନଡିଏମସି ଆଠ ସପ୍ତାହ ମଧ୍ୟରେ କୁକୁର ଆଶ୍ରୟସ୍ଥଳ ନିର୍ମାଣ କରି ଏହାର ଭିତ୍ତିଭୂମି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି। ପଶୁ ପ୍ରେମୀ ଓ ପଶୁ ଅଧିକାର ସଂଗଠନଙ୍କୁ ସମାଲୋଚନା କରି କୋର୍ଟ ପଚାରିଛନ୍ତି, “ଜଳାତଙ୍କରେ ମୃତ୍ୟୁବରଣ କରୁଥିବା ପିଲାମାନଙ୍କୁ କ’ଣ ଫେରାଇ ଆଣିପାରିବେ?” କୁକୁର କାମୁଡ଼ା ଯୋଗୁଁ ଛୋଟ ପିଲା ଓ ବୃଦ୍ଧଙ୍କ ମୃତ୍ୟୁ ଉପରେ ଚିନ୍ତା ପ୍ରକାଶ କରି କୋର୍ଟ ଏକ ସପ୍ତାହ ମଧ୍ୟରେ ହେଲପଲାଇନ୍ ଜାରି କରିବାକୁ ଓ ଜଳାନ୍ତକ ଟୀକାର ଉପଲବ୍ଧତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଧରାପଡ଼ିଥିବା ବୁଲା କୁକୁରଙ୍କର ଦୈନିକ ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦିଅଯାଇଛି

କୋର୍ଟ ବୁଲା କୁକୁରଙ୍କୁ ଧରିବା ପାଇଁ ଏକ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ରାସ୍ତା ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ କୁକୁର ମୁକ୍ତ ହେବ। ସୁପ୍ରିମକୋର୍ଟ ଗଣମାଧ୍ୟମରେ ପ୍ରକାଶିତ ରେବିଜ୍ ସମ୍ପର୍କିତ ରିପୋର୍ଟକୁ ସ୍ୱତଃସ୍ପୃତ ଭାବେ ବିଚାର କରି ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ବରିଷ୍ଠ ଓକିଲ ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରାଯାଇଛି। କୋର୍ଟ ଏହି ମାମଲାରେ କୌଣସି ହସ୍ତକ୍ଷେପ ଆବେଦନ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଏହି ନିର୍ଦ୍ଦେଶ ଜନସୁରକ୍ଷାକୁ ପ୍ରାଥମିକତା ଦେଇ ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Leave a Reply

Your email address will not be published. Required fields are marked *