ମାହାଙ୍ଗା ଡବଲ ମର୍ଡର ଘଟଣା, ପ୍ରତାପ ଜେନାଙ୍କ ବାବଦରେ ରିପୋର୍ଟ ଦେବାକୁ ମୋହନ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ନେଇ ୪ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଡବଲ ମର୍ଡର ମାମଲାର ଅନ୍ୟତମ ମୃତକ କୁଳମଣି ବରାଳଙ୍କ ପୁଅ ରଣଜିତ ବରାଳ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପିତାଙ୍କ ହତ୍ୟା ମାମଲାରେ ନ୍ୟାୟ ପାଇଁ ରଞ୍ଜିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଏହି ମାମଲାର ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ପ୍ରଶାସନଠାରୁ ଠିକ୍ ସମୟରେ ଓ ବ୍ୟାପକ ଭାବେ ଜବାବ ଦେବାକୁ କହିଛନ୍ତି। କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ନ୍ୟାୟିକ ପ୍ରକ୍ରିୟାର ସମୀକ୍ଷା ଦାବି କରିବା ସହ ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ରଣଜିତ ବରାଳଙ୍କ ପୁଅ କୋର୍ଟର ଦ୍ଵାରସ୍ଥ ହୋଇଥିଲେ।
ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ। ସାଲିପୁର ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମ୍ଏଫ୍ସି)ଙ୍କ ରାୟ ବିରୋଧରେ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ ଅଦାଲତ ଅଭିଯୁକ୍ତ ଭାବେ ମାମଲା ରୁଜୁ କରିଥିଲେ। ଏହାପରେ ଶ୍ରୀ ଜେନା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରି ନିମ୍ନ ଅଦାଲତକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ବଡ଼ କଥା ହେଉଛି ଏହି ମାମଲାରେ ପ୍ରତାପ ଜେନାଙ୍କୁ ତତ୍କାଳୀନ ସରକାର ତଥା ବିଜେଡି ସରକାର କ୍ଲିନ ଚିଟ୍ ଦେଇଥିଲା । ହେଲେ ଏବେ ରାଜ୍ଯରେ ବିଜେପି କ୍ଷମତାକୁ ଆସିଛି । ମାହାଙ୍ଗାରେ ବିଜେପି ନିର୍ବାଚନ ପ୍ରଚାର ବେଳେ ଆଇନ୍ ଶୃଙ୍ଖଳା କଥା ଉଠାଇ ଭୋଟ୍ ମାଗିଥିଲା । ଏବେ ପ୍ରତାପ ଜେନା କୌଣସି ନିର୍ବାଚନ ପ୍ରତିନିଧି ନୁହନ୍ତି । ଏହି ସମୟରେ ରାଜ୍ଯ ସରକାରଙ୍କୁ ସୁପ୍ରିମକୋର୍ଟ ରିପୋର୍ଟ ମାଗିଛନ୍ତି ।
୨୦୨୧ ଜାନୁଆରି ୨ ତାରିଖରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ବିଜେପି ନେତା କୁଳମଣି ବରାଳ (୭୪) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୨)ଙ୍କୁ କଟକ ମାହାଙ୍ଗାରେ ହତ୍ଯା କରାଯାଇଥିଲା । ଜାନକୋଟି ଗ୍ରାମ ନିକଟରେ ଅଜଣା ଦୁର୍ବୃତ୍ତମାନେ ମୋଟର ସାଇକେଲରେ ଉଭୟ ଘରକୁ ଫେରୁଥିବା ବେଳେ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା। ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ଉଭୟ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।