କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମେଡିକାଲ ସିଟ୍ ଖାଲି ରହିପାରିବ ନାହିଁ

ନୂଆଦିଲ୍ଲୀ: ଦେଶରେ ମେଡିକାଲ ସିଟ୍ ଖାଲି ନରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବଣ୍ଟିତ ସିଟ୍ ଖାଲି ରହିପାରିବ ନାହିଁ। ଏ ସଂକ୍ରାନ୍ତରେ ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ସହ ବୈଠକ କରିବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ନିଯୁକ୍ତ କମିଟିର ସୁପାରିସକୁ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ବିଚାରପତି ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମେଡିକାଲ ପାଠ୍ୟକ୍ରମରେ ସିଟ୍ ଖାଲି ପଡ଼ିବା ମାମଲାର ଶୁଣାଣି କରିଛନ୍ତି।
ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ମେଡିକାଲ ପାଠ୍ୟକ୍ରମର ସିଟ୍ ଖାଲି ରହିପାରିବ ନାହିଁ। ଏହା ପୂର୍ବରୁ ୨୦୨୩ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉଠାଇ ମେଡିକାଲ ପାଠ୍ୟକ୍ରମରେ ସୁପର ସ୍ପେସିଆଲିଟି ସିଟ୍ ଖାଲି ଥିବା ନେଇ ଚିନ୍ତା ପ୍ରକଟ କରିଥିଲେ।
ସୁପ୍ରିମକୋର୍ଟ ଏନେଇ ଚିନ୍ତା ପ୍ରକଟ କରିବା ପରେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି କମିଟିରେ ରାଜ୍ୟ ଓ ବେସରକାରୀ ମେଡିକାଲ କଲେଜର ପ୍ରତିନିଧି ଓ ଅଂଶୀଦାର ରହିବାକୁ ପ୍ରସ୍ତାବ ଦିଆଯାଇଛି।
ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଅଂଶୀଦାରମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏବଂ କମିଶନ ମଧ୍ୟ ଏହି ପ୍ରସଙ୍ଗରେ ସୁପାରିସ କରିଛନ୍ତି। ସେ କହିଛନ୍ତି ଯେ ଯଦି କେନ୍ଦ୍ର ଏହି ପ୍ରସଙ୍ଗରେ ଅଂଶୀଦାରମାନଙ୍କ ସହ ବୈଠକ କରେ ଏବଂ ଏ ସଂକ୍ରାନ୍ତରେ ଏକ ଠୋସ୍ ପ୍ରସ୍ତାବ ଆଣେ ତାହେଲେ ଭଲ ହେବ। ଏହାପରେ ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ ବୈଠକ ଡାକିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ୩ ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।