ହଠାତ ପାଣ୍ଡିଆନଙ୍କୁ ନେଇ ମନ୍ମଥଙ୍କ ବୟାନ, ଲୁଚେଇବାକୁ ଯାଇ ଖୋଲିଦେଲେ ଗୁମର କଥା!

ଭୁବନେଶ୍ଵର: ୨୦୨୪ ନିର୍ବାଚନ ପରାଜୟ ପରେ ଭିକେ ପାଣ୍ଡିଆନଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେଡି ନେତା ମନ୍ମଥ ରାଉତରାୟ ଶନିବାର ପରୋକ୍ଷରେ ସଙ୍କେତ ଦେଇଛନ୍ତି ଯେ ସେ ଏବେ ବି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ସକ୍ରିୟ ଅଛନ୍ତି।
ମନ୍ମଥ ରାଉତରାୟଙ୍କ କହିବାନୁଯାୟୀ, ଭିକେ ପାଣ୍ଡିଆନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପରାମର୍ଶ ଦେବା ପାଇଁ ଆସୁଥିବା ଡାକ୍ତରଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି।
ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରେ ନାହାନ୍ତି। ନିର୍ବାଚନ ପରେ ନବୀନ ନିବାସରେ ମୁଁ ତାଙ୍କୁ ଥରେ ବି ଭେଟିନାହିଁ। କିନ୍ତୁ ସେ (ଭିକେ ପାଣ୍ଡିଆନ) ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ବ୍ୟକ୍ତିଗତ ସ୍ତରରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ସମନ୍ୱୟ ରଖୁଛନ୍ତି। ନଚେତ ଭିକେ ପାଣ୍ଡିଆନ କାହାକୁ ସାକ୍ଷାତ କରୁନାହାନ୍ତି ଏବଂ ରାଜନୀତିଠାରୁ ଦୂରରେ ଅଛନ୍ତି ବୋଲି ମନ୍ମଥ ରାଉତରାୟ କହିଛନ୍ତି।
ଉଲ୍ଲେଖଯୋଗ୍ଯ, ନିର୍ବାଚନ ହାରିବା ପରେ ବିଜେଡି ସୁପ୍ରିମୋ ବିଭିନ୍ନ ନେତାଙ୍କୁ ଭେଟିବା ସହିତ ସଭା ସମିତିରେ ଯୋଗ ଦେଉଛନ୍ତି । ହେଲେ ଭି.କେ ପାଣ୍ଡିଆନ ପୂର୍ବପରି ଦେଖାଯାଉ ନାହାନ୍ତି । ଏପରି ସ୍ଥିତିରେ କୁହାଯାଉଥିଲା ନିର୍ବାଚନ ହାରିବା ପରେ ପାଣ୍ଡିଆନ୍ ରାଜନୀତିରୁ ସନ୍ଯାସ ନେବେ ବୋଲି ଯେଉଁ ଘୋଷଣା କରିଛନ୍ତି । ତେଣୁ ସେ ଆଉ ସକ୍ରିଯ ରାଜନୀତିରେ ନାହାନ୍ତି । ହେଲେ ଗତବର୍ଷ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଗୋଟିଏ ସ୍ଥାନରେ ବୟାନ ଦେଇଥିଲେ ଯେ ନବୀନଙ୍କ ସହ ସେ କଥା ହେଲା ବେଳେ ପାଣ୍ଡିଆନ୍ ଉପସ୍ଥିତ ଥିଲେ । ସେହିପରି ନିକଟରେ ଏକ ଦୈନିକ ଖବରକାଗଜରେ ଖବର ପ୍ରକାଶ ପାଇଥିଲା ଯେ ଆରମ୍ଭ ହୋଇଗଲାଣି ପାଣ୍ଡିଆନ୍ ଦରବାର । ଆଉ ଏହାପରେ ବିଜେଡିର ଭୁବନେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ମନ୍ମଥ ରାଉତରାୟଙ୍କ ସଦ୍ଯ ବୟାନ ସ୍ପଷ୍ଟ କରୁଛି ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ପ୍ରଭାବ ରହିଛି।