ପାଦଚଲା ରାସ୍ତାରୁ ଶତକୋଟିର ସମ୍ରାଟ: ଅମିତାଭଙ୍କ ତ୍ରିଶୂଳ ବଦଳାଇଲା ରାଜା ନାୟକଙ୍କ ଜୀବନ!
କ’ଣ ଗୋଟିଏ ଚଳଚ୍ଚିତ୍ର ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇ ପାରେ? ଯଦି ଆପଣ ଭାବୁଛନ୍ତି ଏହା ଅସମ୍ଭବ, ତେବେ ରାଜା ନାୟକଙ୍କ ଏହି କାହାଣୀ ଆପଣଙ୍କୁ ପ୍ରେରଣା ଦେବ। ବାଙ୍ଗାଲୋରର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜା ଆଜି ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟବସାୟ ସାମ୍ରାଜ୍ୟର ମାଲିକ। ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ତ୍ରିଶୂଳ ତାଙ୍କ ଜୀବନରେ ଏକ ନୂଆ ଦିଗ ଦେଖାଇଥିଲା, ଯାହା ତାଙ୍କୁ ପାଦଚଲା ରାସ୍ତାରୁ ଶହେକୋଟି ଟଙ୍କାର ବ୍ୟବସାୟୀ ହେବା ପାଇଁ ପ୍ରେରଣା ଦେଇଥିଲା।
ରାଜା ନାୟକ ବାଙ୍ଗାଲୋରର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୫ ବର୍ଷ ବୟସରେ ସେ ନିଜ ପିତାମାତାଙ୍କ ଅସହାୟତା ଓ ଆର୍ଥିକ ଅନଟନକୁ ବୁଝିପାରିଥିଲେ। ସ୍କୁଲ ପଢ଼ା ଜାରି ରଖିବା ପାଇଁ ଟଙ୍କା ନଥିବାରୁ ସେ ପଢ଼ା ଛାଡ଼ିଦେଇଥିଲେ। ୧୯୭୮ରେ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ତ୍ରିଶୂଳ ଦେଖିବା ପରେ ତାଙ୍କ ଜୀବନ ବଦଳିଗଲା। ଏହି ଫିଲ୍ମରେ ଗୋଟିଏ ଗରିବ ଯୁବକ କିପରି ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ହୋଇ ସଫଳତାର ଶୀର୍ଷକୁ ପହଞ୍ଚେ, ତାହା ତାଙ୍କୁ ଗଭୀର ରୂପରେ ପ୍ରଭାବିତ କରିଥିଲା । ମାତ୍ର ୧୭ ବର୍ଷ ବୟସରେ ରାଜା କିଛି ବଡ଼ କରିବାର ସ୍ୱପ୍ନ ନେଇ ଘର ଛାଡ଼ି ମୁମ୍ବାଇ ଗଲେ। କିନ୍ତୁ ସେଠାରେ ସଫଳତା ତୁରନ୍ତ ମିଳିଲା ନାହିଁ। କିନ୍ତୁ ସେ ହାର ନ ମାନି ସେ ବାଙ୍ଗାଲୋର ଫେରିଲେ ଓ ସୁଯୋଗ ଅନୁସନ୍ଧାନ ଜାରି ରଖିଲେ | ପରବର୍ତ୍ତୀ ସମୟରେ ରାଜା ତାଙ୍କ ମା’ଙ୍କ ଅଳ୍ପ ସଞ୍ଚୟରୁ ୧୦,୦୦୦ ଟଙ୍କା ନେଇ ସେ ତାମିଲନାଡୁରୁ ପ୍ରତି ଖଣ୍ଡ ୫୦ ଟଙ୍କା ଦରରେ ଶସ୍ତା ସାର୍ଟ କିଣି ବାଙ୍ଗାଲୋରରେ ବିକ୍ରି କରିବା ଆରମ୍ଭ କଲେ। ନୀଳ ଓ ଧଳା ରଙ୍ଗର ସାର୍ଟ କିଣିବା ପଛରେ ଏକ କାରଣ ଥିଲା। ତାଙ୍କ ଘର ନିକଟରେ ଥିବା ଏକ କାରଖାନାର କର୍ମଚାରୀମାନେ ଏହି ରଙ୍ଗର ସାର୍ଟ ପିନ୍ଧୁଥିଲେ। ରାଜା କାରଖାନା ଫାଟକ ବାହାରେ ଷ୍ଟଲ ଲଗାଇ ଗୋଟିଏ ଦିନରେ ସମସ୍ତ ସାର୍ଟ ବିକ୍ରି କରି ୫,୦୦୦ ଟଙ୍କା ଲାଭ କଲେ। ସାର୍ଟ ବିକ୍ରି ସହିତ ରାଜା ଜୋତା ଓ ଘରୋଇ ଜିନିଷପତ୍ର ବିକ୍ରି ଆରମ୍ଭ କଲେ। ବ୍ୟବସାୟ ବଢ଼ିବା ପରେ ସେ ପ୍ରଦର୍ଶନୀ ଷ୍ଟଲ୍ ଲଗାଇଲେ ଏବଂ କର୍ମଚାରୀ ନିଯୁକ୍ତ କଲେ ଓ ଏକ ସମ୍ପୂର୍ଣ୍ଣ ବିକ୍ରୟ ବ୍ୟବସ୍ଥା ଗଢ଼ିଲେ।
୧୯୯୧ରେ ସେ ଅକ୍ଷୟ ଏଣ୍ଟରପ୍ରାଇଜେସ୍ ଆରମ୍ଭ କରି ପ୍ୟାକେଜିଂ ବ୍ୟବସାୟରେ ପ୍ରବେଶ କଲେ। ୧୯୯୮ରେ ଏମସିଏସ ଲଜିଷ୍ଟିକ୍ସ ପ୍ରତିଷ୍ଠା କରି ଲଜିଷ୍ଟିକ୍ସ ଜଗତରେ ପାଦ ଦେଲେ, ଯାହା ଆଜି ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଛି। ଏହା ପରେ ସେ ଜାଲ ବେଭରେଜେସ୍ ନାମକ ପାନୀୟ ଜଳ କମ୍ପାନୀ, ବାଙ୍ଗାଲୋରରେ ପର୍ପଲ ହେଜ୍ ନାମକ ତିନୋଟି ବ୍ୟୁଟି ସେଲୁନ୍ ଓ ସ୍ପା ଏବଂ ନ୍ୟୁଟ୍ରି ପ୍ଲାନେଟ୍ ନାମକ ଏକ ବ୍ୟବସାୟ ଆରମ୍ଭକରି କରିଥିଲେ ଯାହାକି ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପ୍ରୋଟିନ ବାର୍ ପ୍ରସ୍ତୁତ କରିଥାଏ।
ରାଜା ନାୟକ ଆଜି କେବଳ ଜଣେ ସଫଳ ଶିଳ୍ପପତି ନୁହନ୍ତି, ସେ କଳାନିକେତନ ଶିକ୍ଷାଗତ ସମାଜ ଅଧୀନରେ ସ୍କୁଲ ଓ କଲେଜ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଛନ୍ତି। ତାଙ୍କର ବାର୍ଷିକ କାରବାର ୧୦୦ କୋଟି ଟଙ୍କା ଛୁଇଁଛି, ଏବଂ ତାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହୋଇଛି।
