ସୁଭଦ୍ରା ଯୋଜନା ନେଇ ବଡ଼ ବୈଠକ: ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ନେଇ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ବସିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆଲୋଚନା ହେବ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପୂର୍ବରୁ ତିନୋଟି ବିଭାଗ—ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରି ଚକିଆ ଗାଡ଼ି ଥିବା ମହିଳାଙ୍କ ତଥ୍ୟ, ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ ଜମି ପଞ୍ଜୀକରଣ ତଥ୍ୟ ମାଗିଥିଲେ। ଏହି ତିନୋଟି ବିଭାଗର ରିପୋର୍ଟ ଆଧାରରେ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ।

ଅନେକ ଯୋଗ୍ୟ ମହିଳା ରାସନ କାର୍ଡ ନଥିବା, ଆଧାର ନମ୍ବର ଲିଙ୍କ୍ ନହେବା, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ନହେବା କିମ୍ବା KYC ଅପଡେଟ୍ ନହେବା କାରଣରୁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ସମୀକ୍ଷା ପାଇଁ ଆଜି ଦିନ ସାଢେ ୧୨ଟାରେ ସମସ୍ତ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଡକାଯାଇଛି।

ଏହାସହ, ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ, କିନ୍ତୁ ଦୁଇଟି କିସ୍ତି କଟିଯାଇଥିଲା, ସେମାନଙ୍କୁ ଏକାସାଙ୍ଗରେ ଦୁଇଟି କିସ୍ତି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ନିକଟରେ ଏଭଳି ଅଭିଯୋଗ ପହଞ୍ଚିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି ଓ ବଞ୍ଚିତ ହୋଇଛନ୍ତି, ସେମାନେ ନିଶ୍ଚିତ ଭାବେ ସୁଭଦ୍ରା ଟଙ୍କା ପାଇବେ। ଏଥିରେ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ।”

ଏହି ବୈଠକରୁ ବଞ୍ଚିତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *