ଶିକ୍ଷକ ନାହାନ୍ତି, ପିଲା ପାଠ ଛାଡୁଛନ୍ତି

ଭୁବନେଶ୍ୱର :ପିଲାଙ୍କ ଭବିଷ୍ୟତ ହେଇଯିବକି ଅନ୍ଧକାର ?କାହିଁକି ସୃଷ୍ଟି ହେଉନି ପଢିବାକୁ ଆଗ୍ରହ ?ସ୍କୁଲ ଯିବାକୁ ଡରୁଛନ୍ତି କି ଛାତ୍ର ଛାତ୍ରୀ ? ଚୁଲିକୁ ଗଲାଣି ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ, ଚାଲିଛି ବଦଳି । ପଢ଼ି ନପାରି ପାଠ ଛାଡୁଛନ୍ତି ପିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାର ସାଂଘାତିକ ସ୍ଥିତି। ରାଜ୍ୟର ତିନି ଜିଲ୍ଲାରୁ ଆସିଥିବା ତିନି ସ୍କୁଲର ଚିତ୍ର ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥାକୁ ପଦାରେ ପକାଇଛି। ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା। ଏଇ ତିନୋଟି ଜିଲ୍ଲାରେ ଶିକ୍ଷକ ସଙ୍କଟ। ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷାର ବିପର୍ଯ୍ୟସ୍ତ ଅବସ୍ଥା, ଆମ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦେଶରେ ପ୍ରଥମ ଥର ପାଇଁ ଶିକ୍ଷକ ସଂଖ୍ୟା କୋଟିଏ ପାର କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିବା ବେଳେ, ଓଡ଼ିଶାରେ ହଜାରରୁ ଅଧିକ ସ୍କୁଲ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। ଏଥିସହ ପାଠପଢ଼ା ମଝିରେ ଶିକ୍ଷକ ବଦଳି, ସମସ୍ୟାକୁ ବଢ଼ାଇ ଦେଇଛି। ଯାହାଫଳରେ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ କମିବା ସହ ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଜାତୀୟସ୍ତରରେ ସ୍କୁଲ ଶିକ୍ଷାରେ ଉନ୍ନତି ଆସୁଥିବା ବେଳେ, ଓଡ଼ିଶାରେ ଅବନ୍ନତୀ ହେଇ ଚାଲିଛି।

ଓଡ଼ିଶାରେ ବଢୁଛି ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା। ୨୦୨୩-୨୪ ବର୍ଷ ମାଧ୍ୟମିକ ଶିକ୍ଷାରେ ଡ୍ରପଆଉଟ ହାର ୯.୧% ଥିବା ବେଳେ, ୨୦୨୪-୨୫ବର୍ଷରେ ଏହା ୯.୮% କୁ ବୃଦ୍ଧି ପାଇଛି। ଖାଲି ଶିକ୍ଷକ ଅଭାବ ନୁହେଁ, ଏବେ ବି ସବୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ମିଳିପାରିନି। ଅନେକ ସ୍ଥାନରେ ପାଠ୍ୟପୁସ୍ତକ ମିଳିନଥିବା ଅଭିଯୋଗ ହେଉଛି। ଅଭିଭାବକଙ୍କ କହିବା କଥା ଖାଲି ଶିକ୍ଷା ନୀତି ଘୋଷଣା କଲେ ହେବନି। ପ୍ରଥମେ ଭିତ୍ତିଭୂମି ସଜାଡିବାକୁ ପଡିବ। ଶିକ୍ଷକ, ଅଭିଭାବକ ମଧ୍ୟରେ ସୁସମ୍ପର୍କ ରଖିବାକୁ ହେବ।
ତେବେ ଯାଇ ଡ୍ରପ ଆଉଟ୍ ସଂଖ୍ୟା କମିବ।

ଆଉ ଶିକ୍ଷାର ସାଂଘାତିକ ଅବସ୍ଥା ନେଇ ଯେତବେଳେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପଚରାଗଲା, ସେ ସବୁ ଦୋଷ ପୂର୍ବ ସରକାରର କହି ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି। ସରକାରୀ ଶିକ୍ଷା ବ୍ୟବସ୍ଥାର ତ୍ରୁଟି ଯୋଗୁଁ ପିଲା ଟ୍ୟୁସନ ଉପରେ ଭରସା କରୁଛନ୍ତି। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଛାତ୍ରଛାତ୍ରୀ କେମିତି ସରକାରୀ ସ୍କୁଲ ମୁହାଁ ହେବେ ସେଥିପାଇଁ କୌଣସି ବ୍ୟବସ୍ଥା କରାଯାଉନି। ମାଧ୍ୟମିକ ଶିକ୍ଷାରେ ଡ୍ରପଆଉଟ୍ ହାର ବଢ଼ୁଥିଲେ ବି ନିର୍ଦ୍ଦେଶକ ଓ ଅଧିକାରୀମାନଙ୍କର ଚିନ୍ତା ନାହିଁ। ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ କେଉଁଠି? କୁଆଡ଼େ ଯାଉଛି ସେ ଟଙ୍କା? ଯଦି ପୂର୍ବ ସରକାର ଭୁଲ କରିଥିଲେ ତାହାଲେ ସରକାର ତାକୁ ସୁଧାରୁ ନାହାଁନ୍ତି କାହିଁକି? ଦୋଷ ଲଦିଦେଲେ ବାସ୍ତବିକତା ବଦଳିଯିବନି।

Leave a Reply

Your email address will not be published. Required fields are marked *