ଗୁଜୁରାଟ ଅମଦାବାଦରେ ସ୍କୁଲରେ ଛାତ୍ର ହତ୍ୟା: ବିକ୍ଷୋଭ ଓ ଭଙ୍ଗାରୁଜାରେ ମହାଭାରତ, ପୋଲିସ ଫୋର୍ସ ମୁତୟନ*

ଅମହମ୍ମଦାବାଦ: ଗୁଜୁରାଟର ଅମହମ୍ମଦାବାଦରେ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନବମ ଶ୍ରେଣୀର ଅନ୍ୟ ଛାତ୍ରଙ୍କଦ୍ବାରା ହତ୍ୟା କରାଯିବାର ଅଭିଯୋଗ ହୋଇଛି, ଯାହା ବଡ଼ ବିବାଦର କାରଣ ବନିଛି। ଗତକାଲି (୧୯ ଅଗଷ୍ଟ) ଏହି ଦୁର୍ଘଟଣା ସ୍କୁଲ ସାମ୍ନାରେ ଘଟିଥିଲା, ଯେଉଁଥିରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥାକଟୀ ହୋଇ ହାତାହାତିରେ ପରିଣତ ହୋଇଥିଲା। ଏହା ଶେଷରେ ଛୁରାମାଡ଼ରେ ପରିଣତ ହୋଇ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି।

ଘଟଣା ସମୟରେ ଆହତ ଛାତ୍ରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଯାଇଛି। ଆଜି ସକାଳରୁ ଅଭିଭାବକମାନେ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ଆନ୍ଦୋଳନରେ ଏବିଭିପି (ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ) କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସାମିଲ ହୋଇଛନ୍ତି। ସ୍କୁଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯିବା ଓ ସମ୍ପତ୍ତି ଧ୍ୱଂସ କରାଯିବାର ଅଭିଯୋଗ ମଧ୍ୟ ଉଠିଛି।

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବହୁଳ ଫୋର୍ସ ସ୍କୁଲ ଆଗରେ ମୁତୟନ କରାଯାଇଛି। ଅଭିଯୋଗ ଅନୁସାରେ, ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟୀ ପରେ ହାତାହାତି ହୋଇଥିଲା, ଯାହା ଶେଷରେ ଛୁରାମାଡ଼ରେ ପରିଣତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଛି ଓ ସ୍କୁଲ ପ୍ରଶାସନକୁ ନିଷେଧାଜ୍ଞା ଓ ନିରାପତ୍ତା ଅଭାବ ନେଇ ଆକ୍ରୋଶ ପ୍ରକାଶ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଛାତ୍ରଙ୍କୁ ହିରାସତରେ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *