ବିମା ନଥାଇ ଗାଡ଼ି ଚଳାଇଲେ ମୋବାଇଲକୁ ଆସିବ ଜୋରିମାନା

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୈଧ ବୀମା ନଥିବା ଗାଡ଼ି ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏହି ନୂଆ ନିଷ୍ପତ୍ତି ଅନୁଯାୟୀ ୨୦୨୫ ଫେବ୍ରୁଆରି ପହିଲାରୁ ସ୍ୱୟଂଚାଳିତ ବ୍ୟବସ୍ଥା ଜରିଆରେ ଏଭଳି ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ।
ଏହି ପ୍ରକ୍ରିୟାରେ ଇ-ଚାଲାଣ ଜାରି କରାଯିବା ସହ ଓଡ଼ିଶାର ସମସ୍ତ ୨୨ଟି ଟୋଲ୍ ପ୍ଲାଜାରେ ଏହି ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ମୋଟରଯାନ ଆଇନ ଅନୁଯାୟୀ ବୀମା ଏକ ଆଇନଗତ ଆବଶ୍ୟକତା । ଏହି ଆଇନ ଉଲ୍ଲଂଘନ କଲେ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ଉଭୟ ଦଣ୍ଡ ହୋଇପାରେ। ପୁଣି ସମାନ ଭୁଲ କଲେ ଜରିମାନା ୪,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ସମାନ କାରାଦଣ୍ଡ ମଧ୍ୟ ହୋଇପାରେ।
ବୀମାଭୁକ୍ତ କମର୍ସିଆଲ ଏବଂ ଘରୋଇ ଯାନଗୁଡ଼ିକ ପ୍ରାୟତଃ ଉଲ୍ଲଂଘନ କରନ୍ତି । ଏମାନଙ୍କ ଅବହେଳା ସଡ଼କ ଦୁର୍ଘଟଣାରେ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇବାରେ ବାଧା ସୃଷ୍ଟି କରିପାରେ । ଏହି ସମସ୍ୟାର ମୁକାବିଲା ପାଇଁ ପରିବହନ କମିସନର ଅପରାଧୀଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍ ନୋଟିସ୍ (ଇ-ନୋଟିସ୍) ଜାରି କରିବା ସହ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଟୋଲ୍ ପ୍ଲାଜାଗୁଡ଼ିକ ପରମିଟ୍, ଫିଟନେସ୍ ସାର୍ଟିଫିକେଟ୍ ଓ ବକେୟା ଟିକସ ଭଳି ଉଲ୍ଲଂଘନକୁ ଚିହ୍ନଟ କରିଥିବା ବେଳେ ଏବେ ସେମାନଙ୍କ ଚେକରେ ବୀମା ସ୍ଥିତିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ବୀମା ନଥିବା ଗାଡ଼ି ସଂଖ୍ୟା ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।