ହରିଜନ ଶବ୍ଦ ବନ୍ଦ:ସାମାଜିକ ସମାନତା ପାଇଁ ନୂଆ ଆରମ୍ଭ!
ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗ ବ୍ୟବସ୍ଥାରେ ‘ହରିଜନ’ ଶବ୍ଦ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ବଦଳରେ ‘ଅନୁସୂଚିତ ଜାତି’ ଶବ୍ଦକୁ ସାମ୍ବିଧାନିକ ଭାବେ ବ୍ୟବହାର କରିବା ପାଇଁ ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅନୁମୋଦନରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇଛି।
ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରୀ ରେକର୍ଡ, ଚିଠିପତ୍ର, ଜାତି ପ୍ରମାଣପତ୍ର, ପ୍ରକାଶନ ଏବଂ ଅନ୍ୟାନ୍ୟ ସରକାରୀ ଯୋଗାଯୋଗରେ ‘ହରିଜନ’ ଶବ୍ଦ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ। ଏହା ଐତିହାସିକ ଭାବେ ଅନୁସୂଚିତ ଜାତି ସମ୍ପ୍ରଦାୟଙ୍କୁ ସମ୍ବୋଧନ କରିବା ପାଇଁ ବ୍ୟବହୃତ ହୋଇଥିଲେ ମଧ୍ୟ, ଏହା ବର୍ତ୍ତମାନ ଅନୁଚିତ ବୋଲି ବିବେଚନା କରାଯାଉଛି।
ଏହି ନିର୍ଦ୍ଦେଶନାମା କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ୨୦୧୨ ଆଦେଶ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୨୦୧୩ ଆଦେଶ ଏବଂ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆରସି)ର ୨୦୨୫ ଆଦେଶ ଆଧାରରେ ଜାରି ହୋଇଛି। ଏହାପୂର୍ବରୁ ୧୯୮୨ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ୧୯୯୦ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମଧ୍ୟ ‘ଅନୁସୂଚିତ ଜାତି’ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ, ଓଡ଼ିଶା ବହୁଜନ ଛାତ୍ର ଓ ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଅନୀଲ ମଲ୍ଲିକଙ୍କ ଦ୍ୱାରା ଦାୟର ଏକ ମାମଲା ଆଧାରରେ ରାଜ୍ୟ ମାନବାଧିକାର ଆୟୋଗ ନୟାଗଡ଼, କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ‘ହରିଜନ’ ଶବ୍ଦ ବ୍ୟବହାର ବନ୍ଦ କରିବା ଏବଂ ଏ ସଂପର୍କିତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
