ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି:ଦାଦନ ରୋକିବାକୁ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ
ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାର ନିରାକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦାଦନ ଟାସ୍କଫୋର୍ସର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶ୍ରମ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ ଏବଂ ଏହାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା ହୋଇଛି। ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଅନୁସାରେ, ଓଡ଼ିଶାରୁ ଦାଦନ ଶ୍ରମିକମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି, ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପାଇଁ ଏକ ଟିମ ପଠାଯିବ। ଏହି ଟିମ ଦାଦନର ମୂଳ କାରଣ ଖୋଜି ସମସ୍ୟାର ନିରାକରଣ ପାଇଁ କାର୍ଯ୍ୟ କରିବ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, “ଆଗାମୀ ବର୍ଷ ମଧ୍ୟରେ ନୂଆପଡ଼ାକୁ ଦାଦନ ମୁକ୍ତ କରାଯିବ। ସାରା ରାଜ୍ୟରେ ଦାଦନ କମାଇବା ପାଇଁ ସରକାର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ମନରେଗା ଏବଂ ଜୀବିକା ମିଶନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏକ ଉଦାହରଣ ସୃଷ୍ଟି କରାଯିବ।”
ଏହା ସହିତ, ଟାସ୍କଫୋର୍ସ କମିଟିକୁ ଦୁଇ ଭାଗରେ ବିଭକ୍ତ କରାଯିବ। ଗୋଟିଏ କମିଟି ଦାଦନ ଶ୍ରମିକ ଯାଉଥିବା ରାଜ୍ୟଗୁଡ଼ିକୁ ଯାଇ ସ୍ଥିତିର ସମୀକ୍ଷା କରିବ, ଏବଂ ଏନଜିଓ ମାନଙ୍କ ସର୍ଭେ ରିପୋର୍ଟକୁ ଆଧାର କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନର ପରିମାଣ କମିଛି, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଦିଗ ଉପରେ କାର୍ଯ୍ୟ କରୁଛନ୍ତି।
ଏହି ବୈଠକରେ ଜରୁରୀକାଳୀନ ଭିତ୍ତିରେ କ’ଣ ପଦକ୍ଷେପ ନେବା ଆବଶ୍ୟକ ତାହା ଉପରେ ମଧ୍ୟ ଆଲୋଚନା ହୋଇଛି। ସରକାରଙ୍କ ଏହି ଉଦ୍ୟମ ରାଜ୍ୟରେ ଦାଦନ ସମସ୍ୟାକୁ ନିୟନ୍ତ୍ରଣ କରିବା ଏବଂ ଶ୍ରମିକମାନଙ୍କୁ ସ୍ଥାନୀୟ ସ୍ତରରେ ରୋଜଗାର ଯୋଗାଇ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
