ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସିକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ |
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ଆଜି ରାଜ୍ୟର ସିକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଅଧିକ ୬,୩୫୮ ମତଦାନ କେନ୍ଦ୍ର (ବୁଥ) ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତି ନେଇ ଆଲୋଚନା ହୋଇଛି। ଭୋଟରଙ୍କ ସୁବିଧା ଓ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟରେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠିତ ବୁଥଗୁଡ଼ିକୁ ଏଣିକି ୧୨୦୦ ଭୋଟରଙ୍କୁ ସୀମିତ କରାଯିବ। ଏହାଦ୍ୱାରା ମତଦାନ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସୁବ୍ୟବସ୍ଥିତ କରାଯିବ। ଏହି ଲକ୍ଷ୍ୟରେ ରାଜ୍ୟରେ ୬,୩୫୮ଟି ଅତିରିକ୍ତ ବୁଥ ସୃଷ୍ଟି ହେବ।
ଏହା ସହିତ, ବୁଥ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତି ପାଇଁ ଆବେଦନ ଫର୍ମ (BLA-2) ରେ ଫଟୋ ଓ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ଏଜେଣ୍ଟମାନେ ପୂର୍ବରୁ ଏହି ତଥ୍ୟ ପ୍ରଦାନ କରିନଥିବେ, ସେମାନଙ୍କୁ ପୁନଶ୍ଚ ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ। ଶ୍ରୀ ଗୋପାଳନ ସମସ୍ତ ରାଜନୈତିକ ଦଳଙ୍କୁ BLA ନିଯୁକ୍ତି ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂ ଉପସ୍ଥିତ ଥିଲେ। ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ମତଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁଗମ ଓ ଭୋଟର ଅନୁକୂଳ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
