ଶ୍ରୀମନ୍ଦିରରେ ପୁଣି ଜବତ ହେଲା ସ୍ପାଏ କ୍ୟାମେରା
ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ସ୍ପାଏ କ୍ୟାମେରା ଜବତ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଆଜି ପୂର୍ବାହ୍ନ ୧୧:୪୫ରେ ପଶ୍ଚିମବଙ୍ଗର ୩୧ ବର୍ଷୀୟ ଅରୂପ ରୟ ସ୍ପାଏ କ୍ୟାମେରା ସଂଯୁକ୍ତ ଚଷମା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସିଂହଦ୍ଵାର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ କ୍ୟାମେରା ସହ ମୋବାଇଲ ଫୋନ୍ ଜବତ କରିଛି। ଏହା ପୂର୍ବରୁ ଗୁଜରାଟର ବିପୁଲ ପଟେଲ ,ଜୁଲାଇ ୩୦, ଅଭିଷେକ କର, ଅଗଷ୍ଟ ୫ ଏବଂ ପଶ୍ଚିମବଙ୍ଗର ପ୍ରତୀଶ ପାଲ ତିନି ସପ୍ତାହ ପୂର୍ବେ ସମାନ ଅଭିଯୋଗରେ ଧରାପଡ଼ିଥିଲେ। ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, “ଏହା ଏକ ରେକର୍ଡିଂ ଡିଭାଇସ୍। ଶ୍ରୀମନ୍ଦିର ଆଇନ୍ ସେକ୍ସନ ୩୦ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡିଭାଇସଟି ଫୋରେନସିକ ପାଇଁ ପଠାଯିବ।” ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅରୂପ ଭିଜୁଆଲ କ୍ୟାପଚର୍ କରିବା ଉଦ୍ଦେଶ୍ୟରେ ଏହି ଡିଭାଇସ ବ୍ୟବହାର କରୁଥିଲେ। ତେବେ ସେ ପ୍ରକୃତରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିଥିଲେ କି ନାହିଁ, ତାହା ତଦନ୍ତରୁ ଜଣାପଡ଼ିବ। ଅରୂପଙ୍କ ପରିବାର ଦାବି କରିଛନ୍ତି ଯେ ସେ ଜାଣିଶୁଣି ଏହା କରିନାହାନ୍ତି। ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେବାୟତ ଓ ଜଗନ୍ନାଥ ପ୍ରେମୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଓ ସ୍ବତନ୍ତ୍ର ଆଇନ ଆଣିବା ପାଇଁ ଦାବି କରିଛନ୍ତି। ଏସପି କହିଛନ୍ତି, “ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ଏକ ଏସଓପି (SOP) ଶୀଘ୍ର ଜାରି କରାଯିବ। ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ସ୍ପାଏ କ୍ୟାମେରା ଧରିବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।” ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତମାନଙ୍କୁ କ୍ୟାମେରା, ମୋବାଇଲ ଫୋନ୍ ଆଦି ନେଇ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି। ଏହି ଘଟଣା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଅଧିକ କଡ଼ାକଡ଼ି ଆବଶ୍ୟକତା ଉପରେ ଆଲୋକପାତ କରିଛି।
