ସ୍ୱାଧୀନତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ଭୁବନେଶ୍ୱର :ଆଜି ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି |ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ଯୋଗ ଦେଇ କହିଥିଲେ ଯେ ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ।ଏ ଦେଶ, ମହାନ ସ୍ଵତନ୍ତ୍ରତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ୍ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର୍ ସାବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବାବା ସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦଙ୍କ ତ୍ୟାଗ ଓ ବଳିଦାନ ଆଗରେ ନତ ମସ୍ତକ। ମୁଁ ଏହି ମହାନ ବ୍ୟକ୍ତିତ୍ଵ ତଥା ଲକ୍ଷ ଲକ୍ଷ ନାମହୀନ, ପରିଚୟହୀନ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ନେତୃବୃନ୍ଦଙ୍କ ଅକଳ୍ପନୀୟ ତ୍ୟାଗ, ସଂଘର୍ଷ ଓ ସଂଗ୍ରାମର ପରାକାଷ୍ଠା, ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ସହିଦ୍ ମାଧୋ ସିଂହ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ମା’ ପାର୍ବତୀ ଗିରିଙ୍କ ପରି ମହାନୁଭବଙ୍କ ଅସୀମ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ। କିନ୍ତୁ, ଏହି ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବେ ୧୮୧୭ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ, ଯାହା ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଥିଲା ଏକ ମାଇଲଖୁଣ୍ଟ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଯବାନ ମାନଙ୍କ ପ୍ରତି ମଧ୍ୟ, ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜିର ଦିନ ସ୍ଵାଧୀନତା ସଂଗ୍ରାମ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ। ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ଵାଧୀନତା ବିଷୟରେ ସଚେତନ କରିବା ସହିତ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ଚେତାଇ ଦେଇଥାଏ। ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଦେଶରେ, ବିଶେଷକରି ଜାମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରି ଆସୁଥିବା ବେଳେ, ପଡୋଶୀ ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି, ଭାରତରେ ଅଶାନ୍ତି ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରିଆସୁଛି। ଏହାର ସବୁଠାରୁ ବଡ ପ୍ରମାଣ ହେଲା, ଗତ ଏପ୍ରିଲ ୨୨ ତାରିଖର ପହଲଗାମ ହତ୍ୟାକାଣ୍ଡ। ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମ୍ୟତା ଏବଂ ଅଖଣ୍ଡତା ଉପରେ ଥିଲା ଆକ୍ରମଣ। ବୋଧହୁଏ ପଡୋଶୀ ଦେଶ, ଉରି ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ବାୟୁ ସେନାର ଆକ୍ରମଣରୁ କିଛି ଶିକ୍ଷାଲାଭ କରି ନ ଥିଲା। ତେଣୁ, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ କରିଥିଲା। ଭାରତର ସେନା ବାହିନୀ ଶତ୍ରୁ ଦେଶର ୯ଟି ଆତଙ୍କବାଦୀଙ୍କ ଆଡ୍ଡା, ତଥା ୧୧ଟି ପାକିସ୍ତାନୀ ସାମରିକ ଘାଟିକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ। ମୁଁ ଅତ୍ୟନ୍ତ ଗର୍ବିତ ଯେ, ଦେଶର ସୁରକ୍ଷାର ଡୋର ଏପରି ଜଣେ ଜନନାୟକଙ୍କ ହାତରେ ଅଛି, ଯାହାଙ୍କ ପାଇଁ, ମା’ ଭାରତୀର ସୁରକ୍ଷା ହେଉଛି ସର୍ବୋପରି। ଦେଶର ମା’ ଏବଂ ଭଉଣୀଙ୍କ ଅସ୍ମିତାକୁ ଯିଏ ଆଖି ଦେଖାଇବ, ତାହାର କେବଳ ଗୋଟିଏ ମାତ୍ର ପରିଣତି, ଯାହା ୯ଟି ଆଡ୍ଡାରେ ଲୁଚିଥିବା ଆତଙ୍କବାଦୀଙ୍କର ହୋଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ମୁଁ ସମ୍ମାନ ଜଣାଇବା ସହିତ, ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରୁଛି, ସହୃଦୟ ସଲାମ କରୁଛି।
ଅପରେସନ ସିନ୍ଦୁର, ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ, ଏକ ନୂଆ ପରିଚୟ ସୃଷ୍ଟି କରିଛି। ସବୁଠାରୁ ଆନନ୍ଦର ବିଷୟ ହେଉଛି, ଏହି ଅପରେସନରେ, ପ୍ରଥମ ଥର ପାଇଁ ଭାରତର ନିଜସ୍ଵ ଡିଫେନ୍ସ ଟେକ୍ନୋଲୋଜିର ପରାକାଷ୍ଠା ପ୍ରଦର୍ଶିତ ହୋଇଛି । ଯେଉଁ ଦୂରଦୃଷ୍ଟି ସହିତ ମୋଦୀଜୀ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହାର ସୁପରିଣାମ ଆଜି ଅପରେସନ ସିନ୍ଦୁର ରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଆଜି ଭାରତର ଯୁବ ବର୍ଗଙ୍କ ପ୍ରତିଭା, ଶକ୍ତି ଓ ଆତ୍ମବିଶ୍ଵାସକୁ ଏକ ନୂଆ ସ୍ତରକୁ ନେଇ ପାରିଛି । ଇତି ମଧ୍ୟରେ, ଦେଶ ସ୍ଵାଧୀନ ହେବାର ୭୮ ବର୍ଷ ବିତି ଯାଇଛି। ଭାରତ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛି। ସ୍ଵାଧୀନତା ପରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ନିଜ ନିଜ ସାମର୍ଥ୍ୟ, ଉପଲବ୍ଧ ସମ୍ବଳ, ସାଂପ୍ରତିକ ରାଜନୈତିକ ଓ ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦେଶର ପ୍ରଗତି ପାଇଁ ନିଜ ନିଜ ଅବଦାନ ଦେଇଛନ୍ତି। କିନ୍ତୁ, ସାଧାରଣରେ ସମସ୍ତେ ଅନୁଭବ କରନ୍ତି ଯେ, ଭାରତ ନିଜ ସାମର୍ଥ୍ୟ ଅନୁସାରେ ଯେତେ ପ୍ରଗତି କରିବା କଥା, ବୋଧହୁଏ ସେତେ ପ୍ରଗତି କରିପାରିନାହିଁ। ଯଥେଷ୍ଟ ଅଧିକ ହୋଇ ପାରିଥାନ୍ତା। ସାଧାରଣ ଜନତାଙ୍କ ଏହି ଭାବନାକୁ ଗତି ମିଳିଥିଲା ୨୦୧୪ ମସିହା ମଇ ମାସରେ, ଯେତେବେଳେ ମାନନୀୟ ମୋଦୀ ଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ, ପ୍ରଥମ ପାଳିର ନେତୃତ୍ଵ ନେଇଥିଲେ। ଏଥିସହିତ ବିକାଶର ଏକ ନୂଆ ମଡେଲ ଆରମ୍ଭ ହୋଇଥିଲା, ଯାହାଥିଲା ‘ନାଗରିକ-କୈନ୍ଦ୍ରିକ’ ବିକାଶ। ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ହେବା ପରେ ମାତ୍ର ଅଢେଇ ମାସ ପରେ ମୋଦୀ ଜୀ, ଲାଲକିଲ୍ଲାର ପ୍ରାଚୀରରୁ ଅଭିଭାଷଣରେ ଡାକରା ଦେଇଥିଲେ – “ସ୍ଵଚ୍ଛ ଭାରତ”। ସ୍ଵଚ୍ଛତା ଓ ଶୌଚାଳୟ ପରି ଯେଉଁ ମୌଳିକ ସୁବିଧା ଦେଶବାସୀଙ୍କୁ ୬୬ ବର୍ଷରେ ବି ଦିଆ ଯାଇ ପାରି ନ ଥିଲା, ମାତ୍ର ଚାରି ବର୍ଷରେ, ଦେଶର ସମସ୍ତ ପରିବାରଙ୍କୁ ଶୌଚାଳୟ ପ୍ରଦାନ କରାଯାଇପାରିଥିଲା। ଏହା ହେଉଛି, ନାଗରିକ-କୈନ୍ଦ୍ରିକ ବିକାଶର ଏକ ପ୍ରକୃଷ୍ଟ ପ୍ରମାଣ। ଗତ ୧୧ ବର୍ଷରେ ଭାରତର ଅସାଧାରଣ ପ୍ରଗତି ହୋଇଛି। ଆଜି ଆମ ଦେଶ ବିଶ୍ଵର ଚତୁର୍ଥ ବୃହତ୍ତମ ଅର୍ଥନୀତି ଏବଂ ବହୁତ ଶୀଘ୍ର ୫ ଟ୍ରିଲିଅନ ଡଲାର ସହିତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଦୂରଦର୍ଶୀ ନୀତି, ସଂସ୍କାର ଏବଂ ଜନହିତରେ ନୀତି ପ୍ରଣୟନ ଯୋଗୁଁ ଏହା ସମ୍ଭବ ହୋଇଛି। ପୂର୍ବ ସରକାର ଅମଳରେ, ‘ପଲିସି ପାରାଲିସିସ’ କାରଣରୁ ଦେଶର ପ୍ରଗତିର ଚକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅର୍ଥନୀତିରେ ଉନ୍ନତି ସହିତ, ଦେଶ ଆଜି ସ୍ୱତନ୍ତ୍ର ବିଦେଶ ନୀତି ଅବଲମ୍ବନ କରି ବିଶ୍ୱ ଭୂ-ରାଜନୈତିକ ପରିବେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
