ବରଦାସ୍ତ କରାଯିବନି ବିରୋଧୀଙ୍କ ବିଶୃଙ୍ଖଳା: ବାଚସ୍ପତି

ଭୁବନେଶ୍ବର : ଆସନ୍ତା ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ । ଏହି ସମୟରେ ବିରୋଧୀ ବିଧାୟକଙ୍କ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ବିରୋଧୀ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସ୍ୱାଗତ କରାଯିବ । ହେଲେ ଅଧିବେଶନକୁ ବାଧାପ୍ରାପ୍ତ କରିବାକୁ ପ୍ରୟାସ କଲେ ବରଦାସ୍ତ କରାଯିବ ନାହିଁ ବୋଲି ବାଚସ୍ପତି କହିଛନ୍ତି। ଅଧିବେଶନ ସମୟରେ ବିରୋଧୀ ସଦସ୍ୟଙ୍କ କୌଣସି ପ୍ରକାର ଅନୁଶାସନହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ଅଧିବେଶନ ସମୟରେ ବିରୋଧୀ ଦଳମାନେ ଗଠନମୂଳକ ଭୂମିକା ଗ୍ରହଣ କରି ପରାମର୍ଶ ଦେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଯଦି ସେମାନେ ହଙ୍ଗାମା କିମ୍ବା ବାଧା ସୃଷ୍ଟି କରନ୍ତି, ତେବେ ଆଗାମୀ ଅଧିବେଶନରେ ବିଧାନସଭାରେ ଏହାକୁ ବରଦାସ୍ତ କରାଯିବ ନାହିଁ।

ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବୃଆରି ୧୩ରୁ ଆରମ୍ଭ ହେବ । ଏପ୍ରିଲ ୫ରେ ଶେଷ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଫେବୃଆରୀ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ। ମାର୍ଚ୍ଚ ୨୯ରେ ବ୍ୟୟମଂଜୁରୀ ବିଲ୍ ଉପସ୍ଥାପନ ହେବ। ରାଜ୍ୟପାଳ କାମ୍ଭମପତି ହରି ବାବୁଙ୍କ ଅଭିଭାଷଣ ପରେ ବଜେଟ ଅଧିବେଶନ ଆରମ୍ଭ ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସହ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ବିଧାନସଭାର ବଜେଟ୍ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ। ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ।

Leave a Reply

Your email address will not be published. Required fields are marked *