ଲେମ୍ବୁ ଗଛମୂଳେ ପତ୍ନୀ ଓ ଶାଶୂଙ୍କୁ ମାରି ପୋତିଦେଲା ଜ୍ୱାଇଁ
କୁଳିଅଣା: ଶାଶୂ ଓ ପତ୍ନୀଙ୍କୁ ହତ୍ୟା କରି ଲେମ୍ବୁ ଗଛମୂଳେ ପୋତିଦେଲା ଯୁବକ | ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧୀନ ବଡ ନୂଆଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଦେବାଶିଷ ପାତ୍ର ନାମକ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ସୋନାଲି ଦଳେଇ (୨୪) ଓ ଶାଶୂ ସୁମତୀ ଦଳେଇ (୫୫)ଙ୍କୁ ପଥରରେ ଛେଚି ହତ୍ୟା କରି ଘର ନିକଟରେ ଥିବା ଲେମ୍ବୁ ବଗିଚା ମଧ୍ୟରେ ଶବ ଦୁଇଟିକୁ ପୋତି ଦେଇଥିଲେ । ଏହି ମୃତଦେହଗୁଡ଼ିକୁ ୧୪ ଦିନ ପରେ ମାଟି ତଳୁ ଉଦ୍ଧାର କରାଯାଇଛି ।
ଦେବାଶିଷ ପାତ୍ର କୁଆବୁଡ଼ା ସବସେଣ୍ଟରରେ ସ୍ୱାସ୍ଥ୍ୟ କର୍ମଚାରୀ ଭାବେ କାମ କରୁଥିଲେ । ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀକୁ ଛାଡ଼ି ସୋନାଲିଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଏକ ଶିଶୁପୁତ୍ର ମଧ୍ୟ ଅଛି । କିଛି ଦିନ ତଳେ ସୋନାଲି ତାଙ୍କ ବାପା ଘରକୁ ଯାଇଥିଲେ ଓ ୧୨ ତାରିଖ ଦିନ ସୋନାଲି ତାଙ୍କ ମାଆଙ୍କ ସହ ଶାଶୁ ଘରକୁ ଫେରିଥିଲେ, ଏବଂ ତା’ପରେ ଦୁଇଜଣ ନିଖୋଜ ଥିଲେ |
୨୫ ତାରିଖ ଦିନ ବାପଘର ଲୋକେ ନିଖୋଜ ଥିବା କଥା କୁଳିଅଣା ଥାନାରେ ଅଭିଯୋଗ ଦେଇଥିଲେ | ଏହାପରେ ସୋନାଲି ଓ ସୁମତୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଏତଲା ଦେବାରୁ ପୋଲିସ ଦେବାଶିଷଙ୍କ ଘରେ ଖୋଳତାଡ଼ କରିଥିଲା । ଏହିସମୟରେ ସେ ସବୁ ଦୋଷ ମାନି ଯାଇଥିଲା । ଗତ ୧୫ ତାରିଖ ଦିନ ଘରର ଏକ କୋଠରିରେ ପତ୍ନୀ ସୋନାଲି ଓ ଶାଶୂ ସୁମତୀଙ୍କୁ ପଥର ଛେଚି ହତ୍ୟା କରିବା ପରେ ଲେମ୍ବୁ ବଗିଚାରେ ଗାତ ଖୋଳି ପୋତିଦେଇଥିବା କହିଥିଲା। ହତ୍ୟା କରିବା ପରେ ଶବ ଲୁଚାଇ ସେହି ଜାଗାରେ କଦଳୀ ଗଛ ମଧ୍ୟ ଲଗାଇଥିଲା |
ପୋଲିସ ଆଇଆଇସି ମଧୁମିତା ମହାନ୍ତି ଓ ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା । ୧୦ ଫୁଟ ତଳୁ ଶବ ଦୁଇଟି ବାହାର କରାଯାଇଥିଲା । ବ୍ୟବଚ୍ଛେଦ ପାଇଁ ଶବଗୁଡ଼ିକୁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଘରୋଇ କଳି ଯୋଗୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ବୋଲି କୁହାଯାଉଛି। ହତ୍ୟା କରାଯାଇଥିବା କୋଠରିକୁ ରଙ୍ଗ କରାଯିବା ଏବଂ ଶବ ପୋତାଯାଇଥିବା ସ୍ଥାନରେ ମଦ ବୋତଲ, ସିଗାରେଟ୍ ଖୋଳ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ହତ୍ୟାକାଣ୍ଡରେ ଦେବାଶିଷ ସହ ଅନ୍ୟ କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।
