ସ୍ମାର୍ଟ ମିଟର ବିବାଦ, ଶକ୍ତିମନ୍ତ୍ରୀ ଦେଲେ ବଡ଼ ପରାମର୍ଶ

ଭୁବନେଶ୍ୱର: ସ୍ମାର୍ଟ ମିଟର ଭଳି ବୈଷୟିକ ଜ୍ଞାନକୌଶଳକୁ ଆପଣେଇବା ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଯେଉଁମାନେ ନୂଆ ସ୍ମାର୍ଟ ମିଟରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଲିଖିତ ଅଭିଯୋଗ ଦାଖଲ କରିବାକୁ ହେବ ବୋଲି ଉପମୁଖ୍ଯମନ୍ତ୍ରୀ କହିଛନ୍ତି।
ବର୍ତ୍ତମାନର ପାରମ୍ପରିକ ମିଟରଗୁଡ଼ିକୁ ପରୀକ୍ଷା କରାଯିବ ଯାହାଦ୍ୱାରା ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସିଂହଦେଓ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ମୌଖିକ ଅଭିଯୋଗ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଅନେକ ଉପଭୋକ୍ତା ସଠିକ ଭାବେ ବିଦ୍ଯୁତର ବ୍ୟବହାର କରନ୍ତି ନାହିଁ, ଯାହା ଦ୍ୱାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବ ତେଣୁ ବିଲ୍ ବଢ଼ିବା ସ୍ଵାଭାବିକ।
ମୋବାଇଲ ଚାର୍ଜ ହେଉନଥିବା ବେଳେ ଚାର୍ଜର ପ୍ଲଗ୍ ଇନ୍ କରିବା ଏବଂ ସୁଇଚ୍ ଅଫ୍ ନକରିବା ଦ୍ଵାରା ବିଦ୍ୟୁତ୍ ଖର୍ଚ୍ଚ ହେଉଛି । ବିଜୁଳି ବ୍ୟବହାରରେ ସତର୍କତା ଅବଲମ୍ବନ କରିବାକୁ ଶକ୍ତି ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଯାହାଦ୍ୱାରା ଅପଚୟକୁ ରୋକାଯାଇପାରିବ।
ସ୍ମାର୍ଟ ମିଟରକୁ ନେଇ ବ୍ୟାପକ ବିରୋଧ ଏବଂ ଅଧିକ ବିଦ୍ୟୁତ ବିଲ୍ ଅଭିଯୋଗ ଆସୁଛି । ଏନେଇ ଟାଟା ପାୱାର ଅଧିକାରୀମାନେ ପୂର୍ବରୁ କହିଥିଲେ ଯେ ସ୍ମାର୍ଟ ମିଟର ସୁରକ୍ଷିତ ଏବଂ ଭରସାଯୋଗ୍ୟ। ଏହି ମିଟର ଗୁଡିକ ବିଦ୍ୟୁତ ବ୍ୟବହାରର ରିଅଲ ଟାଇମ୍ ଡାଟା ପ୍ରଦାନ କରିଥାଏ । ବିଦ୍ୟୁତ ଚୋରି ଚିହ୍ନଟ କରିବାରେ ସାହାଯ୍ୟ କରେ ଏବଂ ସଠିକ ବିଲିଂ ସୁନିଶ୍ଚିତ କରେ । ଗ୍ରାହକମାନେ ପ୍ରତାରିତ ହେବାର କୌଣସି କାରଣ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କମ୍ପାନି ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ମିଟରରେ ଥିବା ଉନ୍ନତ ଜ୍ଞାନକୌଶଳ ମାନବୀୟ ତ୍ରୁଟିକୁ ହ୍ରାସ କରିବା ସହ ଶକ୍ତି ପରିଚାଳନାକୁ ଅଧିକ ଦକ୍ଷ କରିଥାଏ।