ଶିଶୁଭବନ ଓପିଡିରେ ଏଣିକି ଅନଲାଇନରେ ହେବ ଟିକେଟ

କଟକ: ଶିଶୁଭବନ ଓପିଡିରେ ଡାକ୍ତରଙ୍କୁ ଦେଖାଇବା ପାଇଁ ଏଣିକି ଧାଡ଼ିରେ ଛିଡ଼ାହେବାର ଆବଶ୍ୟକତା ନାହିଁ। ଏଣିକି ଘରେ ବସି ୧୬ ଦିନ ପୂର୍ବରୁ ଅନଲାଇନରେ ଟିକେଟ ବୁକ୍ କରିପାରିବେ। ଗୁରୁବାରଠାରୁ ଏହି ଅନଲାଇନ ବ୍ୟବସ୍ଥା ଔପଚାରିକ ଭାବେ ଆରମ୍ଭ ହୋଇଛି। ଗତ ଦୁଇ ଦିନରେ ୨୦ ଜଣ ରୋଗୀ ଅନଲାଇନ ଟିକେଟ ବୁକ୍ କରି ଡାକ୍ତରଙ୍କୁ ଦେଖାଇଛନ୍ତି।

ଶିଶୁଭବନର ଓପିଡି କାଉଣ୍ଟରରେ ଦୈନିକ ୭୦୦-୮୦୦ ରୋଗୀ ଟିକେଟ କାଟୁଛନ୍ତି, ଯାହା ଅତ୍ୟନ୍ତ ଗହଳିର କାରଣ ହେଉଥିଲା। ଏହି ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ୱେବସାଇଟ୍ https://eswasthya.odisha.gov.in/AHIMSG5/hissso/loginLogin ମାଧ୍ୟମରେ ଟିକେଟ ବୁକିଂ କରାଯାଉଛି। ୱେବସାଇଟରେ ରୋଗୀଙ୍କୁ ହସ୍ପିଟାଲ, ତାରିଖ, ବିଭାଗ, ସମୟ ଓ ବ୍ୟକ୍ତିଗତ ତଥ୍ୟ ଦାଖଲ କରିବାକୁ ପଡ଼ିବ। ପଞ୍ଜୀକରଣ ପରେ ଏକ ନମ୍ବର ମୋବାଇଲକୁ ଆସିବ, ଯାହା ଶିଶୁଭବନର କିଓସ୍କରେ ଦେଖାଇ ଟିକେଟ ପ୍ରିଣ୍ଟ କରାଯିବ। ଓପିଡି କାଉଣ୍ଟରରେ କେଉଁ ଦିନ କେଉଁ ଡାକ୍ତର ଚିକିତ୍ସା କରୁଛନ୍ତି, ସେ ସମ୍ପର୍କରେ ତଥ୍ୟ ମଧ୍ୟ ୱେବ୍‌ସାଇଟ୍‌ରେ ଉଲ୍ଲେଖ ରହିଛି। ତେଣୁ ଶିଶୁଭବନ ଆସିବା ପୂର୍ବରୁ ଏ ସମ୍ପର୍କିତ ତଥ୍ୟ ରୋଗୀ ଜାଣିପାରିବେ। ମେଡିସିନ୍ ଓ ସର୍ଜରି ଆଉଟ୍‌ଡୋର୍‌ ଦୈନିକ ଚାଲୁଥିବା ବେଳେ ସ୍ବତନ୍ତ୍ର ବିଭାଗର ଆଉଟ୍‌ଡୋର୍‌ ନିର୍ଦ୍ଦିଷ୍ଟ ଦିନରେ ଚାଲୁଛି। ସୋମବାର ହୃଦ୍‌ରୋଗ ବିଭାଗର ଆଉଟ୍‌ଡୋର୍‌, ବୁଧବାର ନେଫ୍ରୋଲୋଜି, ଶୁକ୍ରବାର ନେଫ୍ରୋଲୋଜି ଓ ନ୍ୟୁରୋଲୋଜି, ଶନିବାର ମାନସିକ ରୋଗ ଓପିଡି ଚାଲୁଛି। ଓଡ଼ିଶା ରାଜ୍ୟ ମେଡିକାଲ୍ କୋଅପରେସନ୍ ଲିମିଟେଡ(ଓଏସ୍‌ଏମ୍‌ସିଏଲ୍) ପକ୍ଷରୁ କିଓସ୍କୋ ଖୋଲିବାରେ ସହଯୋଗ ଯୋଗାଇବା ପାଇଁ ଗଲା ୨ ତାରିଖରେ ଶିଶୁଭବନ କର୍ତ୍ତୃପକ୍ଷ ଏ ନେଇ ଚିଠି ଲେଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ କିଓସ୍କୋରେ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଲ୍ୟାବ୍ ରିପୋର୍ଟ ମଧ୍ୟ ଅନ୍‌ଲାଇନ୍‌ରେ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *