ସିଦ୍ଧାର୍ଥ-କିଆରାଙ୍କ ଘରକୁ ଆସିଲା କୁନି ପରୀ
ମୁମ୍ବାଇ: ବଲିଉଡ଼ ତାରକା ଦମ୍ପତି କିଆରା ଆଡ଼ଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ପିତାମାତା ହୋଇଛନ୍ତି | ଗତକାଲି ରାତିରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି | ମା ଏବଂ ଶିଶୁ ଉଭୟ ସୁସ୍ଥ ଥିବାର ସୂଚନା ମିଳିଛି | ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟିଛି |
ଏହି ଦୁଇ କଳାକାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶିଶୁକନ୍ୟାର ମାତାପିତା ହୋଇଥିବା ଜଣାଇଛନ୍ତି। ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, “ଆମର ହୃଦୟ ଆଜି ଖୁସିରେ ଭରିଯାଇଛି। ଆମର ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମେ ଏକ ଶିଶୁକନ୍ୟାର ମାତାପିତା ହୋଇଛୁ। କିଆରା ଏବଂ ସିଦ୍ଧାର୍ଥ।”
କିଆରା ଏବଂ ସିଦ୍ଧାର୍ଥଙ୍କର ଦେଖା ୨୦୨୧ ମସିହାରେ ନିର୍ମିତ ଫିଲ୍ମ “ଶେରଶାହ”ର ସୁଟିଂ ସେଟରେ ହୋଇଥିଲା। ଏହି ଫିଲ୍ମରେ ସିଦ୍ଧାର୍ଥ, ପରମ ବୀର ଚକ୍ର ପାଇଥିବା ସ୍ୱର୍ଗତଃ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ସହ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ଏବଂ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ଏହା ପରେ ୨୦୨୩ରେ ଦୁହେଁ ରାଜସ୍ଥାନର ସୂର୍ଯ୍ୟଗଡରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଚଳିତ ବର୍ଷ ଫେବ୍ରୁଆରିରେ ଦୁହେଁ ମାତାପିତା ହେବାକୁ ଯାଉଥିବା ବିଷୟରେ ଏକ ପୋଷ୍ଟ କରି ଜଣାଇଥିଲେ।
